STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ଏକରେ ଅନେକ ଅନେକରେ ଏକ

ଏକରେ ଅନେକ ଅନେକରେ ଏକ

1 min
43

ଦୀର୍ଘ କେଇ ମାସ ତର୍କ ବିତର୍କରେ

   ପୂର୍ଣ୍ଣଚ୍ଛେଦ ଆଙ୍କିଦେଇ,

ନୀରବ ନୟନେ ରଥରେ ଆସୀନ

  ଧନ୍ୟ ହେ କଳା ଗୋସାଇଁ !!


ପ୍ରଶାନ୍ତ ଉଦାର ନିର୍ଲିପ୍ତ ଚାହାଣି

   ଢାଳୁଛି ଅମୃତ ଧାରା,

ଆକାଶ ସାଗର ଉଠୁଛି ପଡୁଛି 

   ହସେ ସସାଗରାଧରା ।।


ଭକତ ମାନଙ୍କୁ  ଅନୁପସ୍ଥିତିରେ

   ଭକତିର ଭାବଝର,

ବଡଦାଣ୍ଡ ଆଜି ମଉନେ ନୀରବେ

   ପଖାଳେ ତୁମ ପୟର ।।


ରତ୍ନ ସିଂହାସନ ମେଲାଣି ଦେଇଛି

   ବାଇଶି ପାହାଚ କାନ୍ଦେ,

ତୁମରି ସାନ୍ନିଧ୍ୟ ହରେଇବା ନେଇ

   ନିଜକୁ ନିଜେ ହିଁ ନିନ୍ଦେ ।।


ମାଉସୀ ମା' ତୁମ ହୁଅନ୍ତି ଅଧୀରା

   ତୁମ ଦରଶନ ପାଇଁ,

ପ୍ରତୀକ୍ଷା ପଣତ ବିସ୍ତାରି ରଖନ୍ତି

  ସ୍ୱାଗତ ସଙ୍ଗୀତ ଗାଇ ।।


ଅନ୍ତର୍ଯାମୀଙ୍କର ଅନନ୍ତ ଶୟନ

   ବ୍ରହ୍ମାଙ୍କ ବିଧି ବିଧାନ,

ପଶୁପତିଙ୍କର କୈଳାସ ପର୍ବତେ

   ଶୁଭେ ଡମ୍ବରୁ କମ୍ପନ ।।


ନ୍ୟାୟ ପାଳିକା ବି ନ୍ୟାୟ ପରିଧିରେ

    ଗାଏ ତୁମ ସ୍ୱାଗତିକା,

ଭକତମାନଙ୍କ   ବିଶ୍ୱ ଭୂଗୋଳର 

    ଆଶ୍ୱସ୍ତା ଅଭିସାରିକା ।।


ହେ କଳା ଗୋସାଇଁ ତୁମକୁ ଅନେଇ

    ସମଗ୍ର ବିଶ୍ୱ ଚକିତ,

ଆଢୁଆଳେ ରହି କଳ୍ପନା ଚକ୍ଷୁରେ

    ଅନୁଭବନ୍ତି ଭକତ ।।


ଝଡ଼ଝଞ୍ଜା କେତେ ଆସି ଚାଲିଯିବ

   ଆସିବ କେତେ ଅର୍ଗଳ,

ଆହେ ଲୀଳାମୟ କରି ଚାଲିଥିବ

   ତୁମ ଦିବ୍ୟ ଲୀଳାଖେଳ !!


ପରମ୍ପରା ଆଜି ପ୍ରସନ୍ନ ଚିତ୍ତରେ

   ତୁମ ଚରଣେ ଆଶ୍ରିତ,

ସଂସ୍କୃତି ସାଜିଛି ତୁମ ସହଚରୀ

   ଗାଇ ଭକତି ସଙ୍ଗୀତ ।।


ପାରତନ୍ତ୍ରିକ ଏ ଜୀବ ଜଗତରେ

   ତୁମ ଇଚ୍ଛା ତ ସ୍ୱତନ୍ତ୍ର,

ତୁମେ ସମ୍ବିଧାନ ତୁମେ ହିଁ ବିଧାନ

   ସ୍ୱୟଂ ତୁମେ ଗଣତନ୍ତ୍ର ।।


ଯାଅ ହେ ଗୋସାଇଁ ରହିଛି ଅନେଇ

   ମାଉସୀ ମାଆ ଅଗଣା,

ମମତା-ପଣତ   ଦୀର୍ଘ ଅପେକ୍ଷିତ

   ଲଭିବ ମାତୃ ପାଉଣା ।।


ଏକରେ ଅନେକ ଅନେକରେ ଏକ

    ଅବତାରେ ଅବତରି,

ଲୀଳାଖେଳା କରି ଲେଉଟି ଆସିବ

   ଶ୍ରୀମନ୍ଦିରେ,ହେ ଶ୍ରୀହରି !!


Rate this content
Log in

Similar oriya poem from Inspirational