ଏକ ଅମୂଲ୍ୟ ସମ୍ପର୍କ
ଏକ ଅମୂଲ୍ୟ ସମ୍ପର୍କ
ଅନେକ ବିରକ୍ତି ଭରା ଶବ୍ଦର ସମାହାର ଭିତରେ
ତମ ଜୀବନର ବ୍ୟସ୍ତତାରେ କେବେ ଅଲୋଡ଼ା ହେବା ଭିତରେ ଖୋଜିପାଇଛି ପ୍ରତିଥର ଭଲପାଇବାର ମିଠା ନିବିଡତା,
ତମ ରାଗ ଋଷାର ପରଦା ଉହାଡରେ
କେବେ ତମେ ଅବୁଝା କେବେ ମୁଁ ଅବୁଝା,
ଦୁହେଁ ଦୁହିଁଙ୍କ ମସ୍ତିଷ୍କର ହିସାବ ଭିତରେ।
ହୃଦୟର ଭାଷାତ ହୃଦୟ ହିଁ ବୁଝିଛି,
ସେଥିପାଇଁ ବୋଧେ ସବୁ ଭୁଲବୁଝାମଣା ଆଜି, ଲିଭିହୋଇଯାଇଛି ଆନ୍ତରିକତାର ଢେଉର ସ୍ପର୍ଶରେ।
ଆମ ସମ୍ପର୍କର ସୁନ୍ଦର ମନଲୋଭା ଦର୍ପଣ ନା ଭାଙ୍ଗିଛି,
ଆସନ୍ତାକାଲିର ଭୟର ଶକ୍ତ କଠୋର ଆଘାତରେ।
ବର୍ତମାନର ସବୁ ଖଟା
ମିଠା ଅନୁଭବ,
ବଞ୍ଚିରହିଛି ଅଜଣା ଆତ୍ମୀୟତାର ବନ୍ଧନର ଆକର୍ଷଣରେ।
ଭାଷାର ଖେଳ ଭିତରେ ଦୂରେଇ ଯିବାର ମିଛ ଅଝଟ ସବୁ, ହାରମାନିଛି ଆମ ଭଲପାଇବାର ପ୍ରକୃତତା ନିକଟରେ।
ଏ ମୂଲ୍ୟହୀନ ଜୀବନର ମୂଲ୍ୟ ବି ମିଳିସାରିଛି,
ତମ ଅମାପ ଭଲପାଇବାର ସତ୍ୟତା ଭିତରେ।
ଭବିଷ୍ୟତର ପୃଷ୍ଠାରେ ଯାହା ବି ଲେଖାଥାଉ,,,
କିଛି ଯାଏ ଆସେ ନାହିଁ,,,
ଆଜି ଏତିକି ଶାନ୍ତି ଏ ହୃଦୟର ଅଭ୍ୟନ୍ତରରେ,
ତମ ଭଲପାଇବା ଅଛି ମୋ ପାଇଁ ଏଇ ବର୍ତମାନରେ।
ଯେବେ ଲିଭିଯିବ ଏ ସମ୍ପର୍କର ଶବ୍ଦ ସବୁ ଏ ଜୀବନ ପୃଷ୍ଠାରୁ, ସେବେ ମୋ ଜୀବନର ବହି ଜଳି ଯାଇଥିବ ଜୂଈର ନିଆଁରେ।