ଆଜିର ସମ୍ପର୍କ
ଆଜିର ସମ୍ପର୍କ
ମୁଁ ଦେଖିଛି ଅସ୍ତଗାମୀ ସୂର୍ଯ୍ୟର ମଳିନତାକୁ,
ଆକାଶର ସୀମାହୀନ ଦିଗବଳୟରୁ ବିଦାୟ ନେବା ବେଳେ,
ମୁଁ ଦେଖିଛି ବର୍ଷାର ଶେଷ ରାଗବିହୀନ ଧାରାକୁ
ମାଟିର ବିମୋହିତ ଆଲିଙ୍ଗନରୁ ବିଚ୍ଛିନ୍ନ ହେବା ସମୟରେ,
ମୁଁ ପୁଣି ଦେଖିଛି ପୁଷ୍ପର ଥର ଥର ପାଖୁଡ଼ାର ନିସ୍ତେଜତାକୁ,
ବୃକ୍ଷର ବୃନ୍ତର ନିବିଡ଼ତାରୁ ମୁକ୍ତ ହେଉଥିବା ମୁହୂର୍ତ୍ତରେ,
ତଥାପି କାହିଁକି ନୂତନ ଉଚ୍ଛ୍ୱାସ ନୂତନ ଆନନ୍ଦ ଉଙ୍କିମାରେ,
ପ୍ରତିଦିନ ଏମାନଙ୍କ ହୃଦୟ ମଧ୍ୟରେ,
ଆଉଥରେ ନିଜର ପ୍ରିୟ ପାଖରେ ସଂଶ୍ଳିଷ୍ଟ ହେବା ପାଇଁ।
କି ମାୟାର ଫାଶରେ ଆବଦ୍ଧ ହୁଅନ୍ତି ଏମାନେ,
କାଇଁ ଜଳନ୍ତି ବିରହ ଜ୍ୱାଳାରେ ଅହରହ,
ବାସ୍ତବରେ ଏହା କାହିଁକି କେଜାଣି ବୁଝି ହିଁ ହୁଏ ନାହିଁ।
ବୋଧହୁଏ ବିଶ୍ୱାସର ସତ୍ୟତା, ସନ୍ଦେହର ଶୂନ୍ୟତା
ପରସ୍ପରଙ୍କ ନିକଟରୁ ସଦାସର୍ବଦା ମିଳିଯାଏ ବୋଲି
ଅବା ମନୋକାମନାର ପୂର୍ଣ୍ଣତା ଭଲପାଇବାର ଆନ୍ତରିକ ନିବିଡ଼ତା,
ଚିର ଦୁହିଁଙ୍କ ମଧ୍ୟରେ ପ୍ରସ୍ଫୁଟିତ ହେଉଥାଏ ବୋଲି।
ଏମିତି ସମ୍ପର୍କ ତ ଛଳନାର ସାହାରା ଠାରୁ ବେଶୀ ଶ୍ରେୟସ୍କର।
ଯେଉଁଠି ଆଜିକାଲି ଥରେ ହାତଛାଡି ଗଲାପରେ ,
ସମ୍ପର୍କର ଧାରେ ସ୍ମୃତି ମଧ୍ୟ ମାନସପଟରେ ଉଙ୍କିମାରେ ନାହିଁ।
ବିଶ୍ୱାସଘାତକତା ଆଉ ମିଛ ପ୍ରତିଶ୍ରୁତି ଦ୍ୱାରା,
ଆଘାତ ଦେବାକୁ ଯେଉଁଠି ଜଣେ ପଛଘୁଞ୍ଚା ଦିଏ ନାହିଁ।
ଜଣଙ୍କ ହୃଦୟର ଆବେଗତା ପୁଣି କାହାପାଇଁ ବ୍ୟସ୍ତତା,
ଏଠି କେବେ ମଧ୍ଯ ଦୃଷ୍ଟିଗୋଚର ହିଁ ହୁଏନାହିଁ।
ପ୍ରତିଟି ମୁହର୍ତ୍ତରେ ଯାହାପାଇଁ ଭାବନାର କୋଣାର୍କ ଗଢ଼ାଯାଏ,
ତାପାଖେ ସମୟ ନଥାଏ ପ୍ରେମର କାରୁକାର୍ଯ୍ୟ ଆଲୋକନ ପାଇଁ।
ସେଥିପାଇଁ ବୋଧେ ଆଜିର ସବୁ ସମ୍ପର୍କ ,
ଚିରନ୍ତନ ନୁହେଁ, ମନୋରମ ନୁହେଁ ଆଉ ଆପଣାର ବି ନୁହେଁ।
କାରଣ ଯେଉଁଠି ବର୍ଷ ବର୍ଷର ହୃଦୟ ହୃଦୟର ବନ୍ଧନ,
ଛିଣ୍ଡି ହୋଇଯାଏ ଟିକିଏ ଈର୍ଷା, ଅର୍ଥହୀନ ସନ୍ଦେହ,
ଲଗାମହୀନ ଅଭିମାନ ଆଉ ବୃଥା ଅହଙ୍କାର ସବୁ ପାଇଁ।
