ଏ କେମିତି ବିଡମ୍ବନା
ଏ କେମିତି ବିଡମ୍ବନା
ମାଟିରୁ ଆକାଶ ଯା ହୃଦ ବିଶାଳ
ବୃଦ୍ଧକାଳେ ବିତେ ବୃଦ୍ଧାଶ୍ରମେ ବେଳ
ଏହି ବିଡମ୍ବନା ଆଜି ସମାଜର
ଭୁଲିଗଲେ ସବୁ ଆଚାର ବିଚାର
ମଣିଷ ପଣିଆ ଲୁପ୍ତ ହୋଇଲାଣି
ସ୍ୱାର୍ଥ ରେ ମଣିଷ ସବୁ ଭୁଲିଲାଣି
ଭୁଲିଗଲେ ନିଜ ପିଲାଦିନ କଥା
ଯାହାଙ୍କ କୋଳରେ ରଖିଥିଲେ ମଥା
ବଡ଼ ହୋଇଥିଲେ ଯାହା ହାତ ଧରି
ଅଳି କରୁଥିଲେ ଖାଇବାକୁ କ୍ଷିରି
ଦୋଳି ଖେଳୁଥିଲେ ପଣତ କାନିରେ
ଜହ୍ନ ଦେଖୁ ଥିଲେ ବସି ଯା କାଖରେ
ଗର୍ଭ ଧାରିଣୀ ସେ ଜନମ ଦାୟିନୀ
ଅମୃତ ଦାୟିନୀ ପାଳନ କାରିଣୀ
ମାଆ ସମ ସ୍ନେହ ପାରିବ କେ କରି
ପିତା ପରି ତ୍ୟାଗ ପାରିବେନି କରି
ପିତା ମାତା ସିନା ଜୀବନ୍ତ ଦେବତା
ଅଜାଡି ଦିଅନ୍ତି ସ୍ନେହ ଓ ମମତା
ସନ୍ତାନ ର ସୁଖ କାମନା ତାଙ୍କର
ସନ୍ତାନ ଦୁଃଖରେ କାନ୍ଦଇ ଅନ୍ତର
ପାଳି ପୋଷି ବଡ଼ କରିଲେ ଯାହାଙ୍କୁ
ସେହି ଅନାଦର କରିଲେ ତାହାଙ୍କୁ
ବଡ଼ ସ୍ୱାର୍ଥପର ଆଜିର ମଣିଷ
ସ୍ୱାର୍ଥ ପାଖେ ତୁଚ୍ଛ ଆପଣା ମଣିଷ
ପାଠ ସାଠ ପଢି ଶିକ୍ଷିତ ହୋଇଲେ
ଅର୍ଥ ଦାନଵ ର ପଛେ ଗୋଡ଼ାଇଲେ
ପତ୍ନୀ ର ପ୍ରେମରେ ପାଗଳ ହୋଇଲେ
ବୁଦ୍ଧି ବିବେକ କୁ ସବୁ ଭୁଲି ଗଲେ
ପିତା ମାତା ପ୍ରତି କର୍ତ୍ତବ୍ୟ ତାଙ୍କର
ଭୁଲି ଗଲେ ସବୁ କରି ଅନାଦର
ପତ୍ନୀ ଙ୍କୁ ଦିଅନ୍ତି ଦାମିକା ଗହଣା
ପିତା ମାତା ମୁଖେ ଦିଅନ୍ତିନି ଦାନା
ଆଜିର ସମାଜେ ଏହିପରି ରୀତି
ବଢ଼ି ବଢ଼ି ଚାଲେ ଅନ୍ୟାୟ ଅନୀତି
ବାର୍ଦ୍ଧକ୍ୟ ର ଏହି ନିଷ୍ଠୁର ତାଡ଼ନା
ସହିବାକୁ ହୁଏ ନାନାଦି ଯାତନା
ଆଜିର ମଣିଷ ପଶୁ ଠାରୁ ହୀନ
କାର୍ଯ୍ୟଧାରା ତାଙ୍କ ଅତିଶୟ ଘୃଣ୍ୟ
ଶିକ୍ଷିତ ସମାଜେ ଏତାଦୃଶ କାର୍ଯ୍ୟ
ଦେଖି ଲେ ଆମକୁ ଲାଗୁଅଛି ଲାଜ
ପିତା ମାତା ଶ୍ରମ ତ୍ୟାଗ ର ତୁଳନା
କରି ନ ପାରନ୍ତି ବେଦ ପତି ବ୍ରହ୍ମା
ଜଣେ କେହି ନାହିଁ ଏହି ଜଗତରେ
ପିତା ମାତା ଋଣ ଭାର ସୁଝି ପାରେ
ପୁତ୍ର ର କର୍ତ୍ତବ୍ୟ ପିତା ମାତା ସେବା
ବୃଦ୍ଧ କାଳେ ଟିକେ ସାହାରା ହୋଇବା
ମାତ୍ର ବିପରୀତ ଘଟୁଛି ସଂସାରେ
ବାର୍ଦ୍ଧକ୍ୟ ବିତୁଛି ଜରା ଆଶ୍ରମରେ
ଧନୀ ଠୁଁ ଗରିବ ସବୁଠି ସମାନ
ପିତାମାତା ପ୍ରତି ନାହିଁ ଟି ସମ୍ମାନ
ବୋଝ ବୋଲି ଭାବି ଘରୁ ତଡି ଦେଇ
ପୁତ୍ର ପତ୍ନୀ ସହ ସୁଖରେ ରହଇ
କେବେ ସୁଧୁରିବ ସମାଜ ଅବସ୍ଥା
ଭାବିଲା ବେଳକୁ ଘୁରିଯାଏ ମଥା
ଆଜି ଯେ ଯୁବକ କାଲି ବୃଦ୍ଧ ହେବ
ସିଏ ଦିନେ ପୁଣି ଜରାଶ୍ରମ ଯିବ
ତେଣୁ ହେ ଶିକ୍ଷିତ ଯୁବକ ସମାଜ
ଏହି କଥା ଟିକୁ ମନ ମଧ୍ୟେ ହେଜ
କର୍ମ ଅନୁରୂପ ଫଳ ପ୍ରାପ୍ତି ହୁଏ
ଅନ୍ୟାୟ ଅନୀତି ବେଶି ଦିନ ନୁହେଁ ।