ଏ ଜୀବନ ଷଢ଼ଋତୁ
ଏ ଜୀବନ ଷଢ଼ଋତୁ
ଏ ଜୀବନ ଷଢ଼ଋତୁ ଲୋ ବଉଳ
ଗ୍ରୀଷମ ଠାରୁ ବସନ୍ତ
କେତେବେଳେ ଗାଏ ସାତ ସୁରେ ସିଏ
ହସ ଲୁହ ଭିଜା ଗୀତ |
ସିଏ ପୁଣି କେବେ ଅମୁକ ସମୁକ
ଶୁଭ୍ର ଶୀତଳ ଜୋଛନା
କେବେ କେବେ ସେତ ଲିଭିଲା ଦୀପାଳି
କେବେ କଅଁଳିଆ ଖରା |
କେବେ ହୋଇଆସେ ପାହାନ୍ତି ସପନ
କେବେ ରାତ୍ରୀର ଶେଫାଳି
କେବେ ଝରିପଡ଼େ ଶିଶୁ ର ଓଠରୁ
ଖିଲି ଖିଲି ଅସୁମାରୀ |
କେବେ ସେ କଣ୍ଟକ ପଥ ଦେଇ ଆସେ
କେବେ ଗୋଲାପର ବାସ
କେବେ ବୋଳି ଦିଏ ମିଛ ଆଉ ସତ
କେବେ କୁହୁକିନୀ ନୃତ୍ୟ |
କେବେ ରଚିଥାଏ ବାସ୍ତବ କଳ୍ପନା
କେବେ ପୁଣି ରଙ୍ଗତୁଳୀ
କେବେ ସାରିଦିଏ କୁଆଁରୀ କନ୍ୟାର
ଗାଁ ଦାଣ୍ଡେ ଲୁଚକାଳି |
କେବେ ଜୀବନରେ ଭରଇ ରଙ୍ଗୋଲି
କେବେ କୋଇଲି ର କୁହୁ
କେବେ ଛଳନା ର ଗଢ଼ା କାଚଘର
ଭାଙ୍ଗି ଯାଏ ଚାହୁଁ ଚାହୁଁ |
କେବେ ସୃଷ୍ଟିକରେ ନାନାରଙ୍ଗ ଛବି
କେବେ ଚାତକ ର ତୃଷ୍ଣା
କେବେ ପାଲଟେ ସେ ମରୁମରୀଚିକା
କେବେ ସାଜେ ମୃଗତୃଷ୍ଣା |
କେବେ ପାଲଟେ ସେ ପବିତ୍ର ଜାହ୍ନବୀ
କେବେ ପ୍ରଦୂଷିତ ପାଣି
କେବେ ବୁହାଏ ସେ ଅଣଚାଷ ବାଆ
ବୁକୁ ଦିଏ ପୁଣି ହାଣି |
ତଥାପି ଜୀବନ ଭାରି ସୁନ୍ଦର ଲୋ
ଉପଭୋଗ ତାକୁ କର
ମରଣଶୀଳ ଏ ଦୁନିଆ ବୁକୁରେ
ଜୀବନ ଟା ଖାଲି ଛାର |
