STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଏ ଜୀବନ ଏକ ରାଜପଥ

ଏ ଜୀବନ ଏକ ରାଜପଥ

1 min
203


ଏ ଜୀବନ ଏକ ରାଜପଥ 

କେତେ ଘଟଣା କେତେ ଦୁର୍ଘଟଣାର 

ମୂକସାକ୍ଷୀ ଏଇ l

ଆରମ୍ଭ ଆଉ ଶେଷର ଦୂରତ୍ୱ ଭିତରେ 

କେତେ ଖାଲ ଖମାକୁ ଅତିକ୍ରମ କରି 

ଘାତ ପ୍ରତିଘାତର ବଳୟକୁ 

ଭ୍ରୁକ୍ଷେପ ନକରି 

ଖୁବ୍ ଉଦ୍ଦାମତାର ସହିତ ଏଠି ଆଗେଇ ଯିବାକୁ ହୁଏ 

ଜୀବନ ଜୀବିକା ଅନ୍ୱେଷଣର 

ଏକ ଏକାଗ୍ର ଅଭିସନ୍ଧିକୁ ନେଇ l

ଖରା, ବର୍ଷା, ଶୀତ ଆଉ କାକରର ବହଳ ଆସ୍ତରଣ ଭିତରେ 

ଜୀବନର ଏଇ ରାଜପଥ 

ବେଳେବେଳେ ତା'ର ରୂପ ବଦଳାଏ 

ଆଉ ତା'ରି ଭିତରେ 

ନିଜକୁ ଖାପ ଖୁଆଇ ଚାଲି ନପାରିଲେ 

ଧକ୍କା ଖାଇବାଟା ହିଁ ସାର ହୁଏ l

ସୁଖ-ଦୁଃଖ, ହସ-କାନ୍ଦ

ଅଭିମାନ, ଭଲ-ମନ୍ଦ 

ବିବେକ ଆଉ ପ୍ରବୃତ୍ତି ମାନଙ୍କର 

ଅହରହ ଯାତାୟତ ଭିତରେ 

ଜୀବନର ଏଇ ରାଜପଥ 

ବେଳେବେଳେ 

ସମୟର ଅବିରାମ ଗତିରେ 

ଚଳଚଞ୍ଚଳ ହୋଇ ଉଠେ 

ସକାଳରୁ ସଞ୍ଜ ଆଉ ସଞ୍ଜରୁ ସକାଳ ପର୍ଯ୍ୟନ୍ତ l

କେତେବେଳେ ଦୁଃଖ ଆଉ ବିଷାଦ ମାନଙ୍କର 

ଖଚାଖଚ୍ ଭିଡ଼ ଜମିଯାଏ ତ 

ପୁଣି କେତେବେଳେ ଖୁସି ଆଉ ଆନନ୍ଦ ମାନଙ୍କର 

ଆତ୍ମୀୟତାରେ ଆଶ୍ବସ୍ତି ଲାଭ କରେ ଏଇ ରାଜପଥ l

ଚିହ୍ନା ଅଚିହ୍ନାର ଦୋଛକିରେ ବାଟ ବଣା ହୋଇ 

କିଟିମିଟି ଅନ୍ଧାରର ନିର୍ଜନତା ଭିତରେ

ବେଳେବେଳେ 

ଏଠି ନିଜକୁ ଖୋଜିବା ବି ମୁସ୍କିଲ୍ ହୋଇପଡେ 

ପୁଣି କେତେବେଳେ ତୋଫା ଚାନ୍ଦିନୀର 

ଶୁଭ୍ର ଆଲୋକରେ 

ଏଇ ପଥ ଦେଇ ଫେରି ଯିବାକୁ ଇଚ୍ଛା ହୁଏ 

ନିଜର ସେଇ ସ୍ବପ୍ନର ପୃଥିବୀକୁ l

ଶୈଶବର ପହିଲି ପ୍ରାତରେ 

କୈଶୋର ଆଉ ତାରୁଣ୍ୟର ବିସ୍ତୃତ ମଧ୍ୟାହ୍ନରେ 

ପୁଣି ବୟସର ଅପରାହ୍ନରେ 

ବେଳେବେଳେ 

ଖୁବ୍ ଖାଁ ଖାଁ ଲାଗେ ଏଇ ଜୀବନର ରାଜପଥ l

ଗୁମ୍ ସୁମ୍ ନୀରବତାର ପଦଚିହ୍ନ ଭିତରେ 

ଅତୀତର ସ୍ମୃତିକୁ ଅବଲୋକନ କରି 

ଏଇ ରାଜପଥ ସେମିତି ଚାହିଁ ରହିଛି 

ସବୁ ପରିସ୍ଥିତିକୁ ସାମ୍ନା କରିବାର

ଏକ ତୀବ୍ର ଅଭିପ୍ସା ନେଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy