STORYMIRROR

Kishore Nayak

Tragedy

4  

Kishore Nayak

Tragedy

ଏ ଜୀବନ ଏକ ଅବିଶ୍ରାନ୍ତ ଯାତ୍ରା

ଏ ଜୀବନ ଏକ ଅବିଶ୍ରାନ୍ତ ଯାତ୍ରା

1 min
184

ଏ ଜୀବନ ଏକ ଅବିଶ୍ରାନ୍ତ ଯାତ୍ରା 

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ 

ଜନ୍ମରୁ ଆରମ୍ଭ ଆଉ ମୃତ୍ୟୁରେ ହିଁ ଶେଷ 

ଠିକଣା ବିହୀନ ଦୂରତ୍ୱ ଭିତରେ 

କେତେ ଅନୁଭବ ଆଉ ଅନୁଭୂତିକୁ ନେଇ 

ପୁଣି କେତେ ସମସ୍ୟା ଆଉ ପରିସ୍ଥିତିକୁ ସାମ୍ନା କରି 

ଅନିର୍ଦ୍ଦିଷ୍ଟତାର ପ୍ରଶ୍ନବାଚୀ ଭିତରେ 

ଏ ଜୀବନ ଚାଲିଛି 

ସମୟର ମାଇଲି ଖୁଣ୍ଟକୁ ଅତିକ୍ରମ କରି l

କିନ୍ତୁ ଦେଖିବାକୁ ଗଲେ ମୃତ୍ୟୁ ହିଁ ତ ଶେଷ ଠିକଣା 

ଆଉ ସେଇଠି ହିଁ ସରିଛି ଏ ଜୀବନର ଚଲାପଥ

ମୃତ୍ୟୁର ଦ୍ୱାରଦେଶରେ ଯେଉଁଠି ଲମ୍ବି ଯାଇଛି 

ସ୍ୱର୍ଗକୁ ଏକ ଅଦୃଶ୍ୟ ରାସ୍ତାଟିଏ  

ଇହଧାମକୁ ପରିତ୍ୟାଗ କରି ମରଧାମକୁ ଯିବାର ମାର୍ଗ 

ଏଠି ଯେତିକି ପ୍ରଶସ୍ତ ସେତିକି ରହସ୍ୟାବୃତ୍ତ ମଧ୍ୟ 

ମୃତ୍ୟୁକୁ ପ୍ରାପ୍ତ କରିବାର ଇଚ୍ଛା ନଥିଲେ ବି 

ଈଶ୍ୱରଙ୍କର ଏଇ ଅନବଦ୍ୟ ସୃଷ୍ଟିର ନିୟମନାରେ 

ସ୍ଥାନ କାଳ ପାତ୍ରକୁ ଅଗ୍ରାହ୍ୟ କରି 

ମୃତ୍ୟୁ କେତେବେଳେ ଯେ ଆସିଯିବ ତାହା କିଏବା ଜାଣିଛି? 

ତେଣୁ 

ଜୀବନର କାନଭାସ ଉପରେ ମୃତ୍ୟୁର ରହସ୍ୟକୁ ଭେଦ କରିବାର ନକ୍ସାଟିଏ ଆଙ୍କିବାର ପ୍ରଚେଷ୍ଟା ଏକ ଧୃଷ୍ଟତା ମାତ୍ର ଆଉ କିଛି ନୁହେଁ l

କିନ୍ତୁ ତଥାପି ଏ ଜୀବନ ଚାଲିଛି ତା'ର କକ୍ଷ ପଥରେ 

କିଛି ସମ୍ଭାବନାର ନୂଆ ଆଶା ଆଉ ଆକାଂକ୍ଷାକୁ ନେଇ 

ଲକ୍ଷ୍ୟ ସ୍ଥଳରେ ପହଁଚିବାର ଏକ ନିବିଡ଼ ଆତ୍ମବିଶ୍ୱାସର ଆବେଗ 

ଯେଉଁଠି ଏଇ ଅବିଶ୍ରାନ୍ତ ଜୀବନ ଯାତ୍ରାର ସଫଳତାକୁ 

ଅପଲକ ନୟନରେ ଚାହିଁ ରହିଛି 

ସେଠି ଆଖି ମୁଦିବା ଆଗରୁ ଥକି ପଡ଼ିବାର ପ୍ରଶ୍ନ କେଉଁଠୁ ଉଠୁଛି?

ତେଣୁ 

ଏଇ ଜୀବନ ଯଜ୍ଞର ଉଦଯାପନୀ ପର୍ବ ସେଇଦିନ ହିଁ ଶେଷ ହେବ 

ଯେଉଁଦିନ ଶ୍ମଶାନ ବୁକୁରେ ପୂର୍ଣ୍ଣାହୁତିର ଜୁଇଟିଏ ଜଳିଉଠିବ 

ଆଉ ମୁକ୍ତିତୀର୍ଥର ବିରାମ ଶଯ୍ୟାରେ 

ସବୁଦିନପାଇଁ 

ଏ ଜୀବନ ଶୋଇଯିବ ଚିର ନିଦ୍ରାରେ

ଆଉ ଚିର ଶାନ୍ତିରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy