ଦୟା କର ଦୀନବନ୍ଧୁ
ଦୟା କର ଦୀନବନ୍ଧୁ
ଦୟାମୟ ହରି ହେ ବିଶ୍ଵ ବିହାରୀ
ଡାକୁ ଅଛି ଦୁଃଖୀ ଜଣେ
ଦୀନବନ୍ଧୁ କୃପାସିନ୍ଧୁ ଜଗବନ୍ଧୁ
ଦୟା କର ଦୀନ ଜନେ
ଦୁଇ ହାତ ଟେକି ଶରଣ ପଶୁଛି
ରଖ ଆହେ ମହାବାହୁ
ଭବ ସାଗରରେ ଭାସି ଯାଉଅଛି
କୃପା ଦୃଷ୍ଟି ରହି ଥାଉ
ସାହା ନାହିଁ କେହି ଏହି ଦୁନିଆରେ
ସଭିଏଁ ସ୍ୱାର୍ଥରେ ବନ୍ଧା
ଦୁଃଖ ପରେ ଦୁଃଖ ହୁଏ ଅପ୍ରମିତ
ଜୀବନରେ ଖାଲି ବାଧା
ତୁମେ ପରା ପ୍ରଭୁ ସ୍ଵୟଂ ଅନ୍ତର୍ଯ୍ୟାମୀ
ଜାଣିଛ ଅନ୍ତର ଦୁଃଖ
ତଥାପି କହୁଛି ଅନ୍ତରର ଦୁଃଖ
ନ ହୁଅ ପ୍ରଭୁ ବିମୁଖ
ସଂସାର ଜାଲରେ ଛନ୍ଦି ହୋଇଅଛି
ମୁକୁଳିବା ଆଶା କ୍ଷୀଣ
ତୁମ ଶ୍ରୀ ଚରଣେ ସମର୍ପି ନିଜକୁ
ଜୀବନ କଲି ଅର୍ପଣ
ମାର ତାର ଅବା ଯାହା କିଛି କର
ସବୁ ଇଚ୍ଛା ହିଁ ତୁମର
ଇଛାମୟ ତୁମେ ଇଚ୍ଛାରେ ଜଗତ
ଏ ଅଧମ ବା କି ଛାର!!
ବଳିୟାର ଭୁଜ କହନ୍ତି ସଭିଏଁ
ବାହୁ ବିନା ମହାବାହୁ
ପାପୀ ନେତ୍ର ପାଇଁ ଅଦୃଶ୍ୟ ହେଉଛି
ସେହି ବଳିୟାର ବାହୁ
ଦୁଇ ବାହୁ ଟେକି ସମର୍ପି ନିଜକୁ
ଜଣାଉଛି ଦୁଃଖ ମୋର
ରକ୍ଷାକର ରକ୍ଷାକର ମହାବାହୁ
ଜୀବନ ଲାଗେ ଅସାର
ବଳିୟାର ବାହୁ ଥାଉ ଥାଉ ଆଜି
ଛାଡ଼ୁ ନାହିଁ ପିଛା ଦୁଃଖ
ବଳିୟାର ଭୁଜ ଯଦି ହେବେ ସାହା
କି କରି ପାରିବ ଦୁଃଖ!!
ଦୀନ ହୀନ ବନ୍ଧୁ ଦୀନବନ୍ଧୁ ଥାଇ
ଦୀନ ଦୁଃଖ କିମ୍ପା ସହେ
ତୁମ ନାମ ସୁମରଣା କରେ ନିତି
p>
ଭାଗ୍ୟ ନିନ୍ଦି ଭୋକେ ଶୁଏ
ହେ ଭକ୍ତ ବାନ୍ଧବ ପ୍ରଭୁ ଭାବଗ୍ରାହୀ
ଜାଣି ନାହିଁ ଭକ୍ତି ଭାବ
ଦୀନବନ୍ଧୁ ନାମ ଜାଣିଛି କେବଳ
ଯେଣୁ ଜୀବନେ ଅଭାବ
ଅନ୍ତର୍ଯ୍ୟାମୀ ପରା ଜାଣୁଚ୍ଛ ଅନ୍ତର
ହୃଦୟ ଭିତର କଥା
ମୋ ଅନ୍ତର ଦୁଃଖ କିମ୍ପା ଜାଣୁ ନାହଁ
ରହିଛି ଅନ୍ତରେ ବ୍ୟଥା
କଳି କାଳେ ବିଜେ ନୀଳାଚଳ ଧାମେ
ନିତି ହୁଏ ଖେଳା ଲୀଳା
ମାନବୀୟ ଲୀଳା ହେଉଛି ପ୍ରକଟ
ନିତି ଯାତ୍ରା ନିତି ମେଳା
ଷାଠିଏ ପଉଟି ଭୋଗ ଲାଗି ହୁଏ
ବଡ ଦିଅଁ ବଡ ଖିଆ
କେତେ ଦୀନ ଦୁଃଖୀ ଦାନା ମୁଠେ ପାଇଁ
ହେଉଛନ୍ତି ବିକଳିଆ
ହାତ ଟେକି ଦୁଃଖ ଜଣାଇ ତୁମକୁ
ଭାଗ୍ୟକୁ ଆଦରି ରହି
ଦୀନବନ୍ଧୁ ଆମ ଆଶା ଓ ଭରସା
ନିଜକୁ ନିଜେ ବୁଝାଇ
ସଖା ଭାବେ ଦୀନ ଦରିଦ୍ର ସୁଦାମା
ଭେଟି ଥିଲା ଉଆସରେ
ଦୁଃଖ ଦୁର୍ଦ୍ଦଶା ନ ଜଣାଇ ଫେରିଲା
ବନ୍ଧୁ ଭାବ ଭାବନାରେ
ଖୁଦ ଭଜା ଖାଇ ଜାଣିଲ ଅନ୍ତର
ସଖା ଦୁଃଖ ଦେଲ ଫେଇ
କେତେ କେତେ ଦୀନ ଦରିଦ୍ର ଅଛନ୍ତି
ନେତ୍ରେ ଲୋତକ ଝରାଇ
ମୁହିଁ ଦୀନ ହୀନ ତୁମେ ଦୀନବନ୍ଧୁ
ଦୂର କର ମୋ ଅଭାବ
ଦୀନବନ୍ଧୁ ନାମେ ଉଡୁ ଥାଉ ବାନା
ରଖ ମୋ ଅନ୍ତର ଭାବ
ରକ୍ଷା ଓ ସୁରକ୍ଷା ଆଶା ରଖି ମନେ
ଶ୍ରୀଚରଣ ଚାହିଁ ଅଛି
ଭୁଜ ତଳେ ମୋତେ ରଖ ମହାବାହୁ
ଏହି ପ୍ରାର୍ଥନା କରୁଛି