ଦୂରଦର୍ଶନ ନିଶା
ଦୂରଦର୍ଶନ ନିଶା


ଦୂରଦର୍ଶନଟି କିଣିଦେଲେ ବାପା କୁନା ମନ ଛନଛନ
ଦିନରାତି ଖାଲି ଟିଭି ପାଶେ ବସି ପାଠରେ ନଦେଲା ମନ |
କେତେବେଳେ କେଉଁ ସିରିଏଲ ହେବ ତାହାକୁ ଭଲରେ ଜଣା
ସ୍କୁଲରୁ କେଉଁବାଟେ ଖସିଆସେ ଗୁରୁଜୀ ଥାନ୍ତି ଅଜଣା |
ଆଇପିଏଲ କ୍ରିକେଟ ଖେଳ ହେଲେ ସାରା ରାତି ଉଜାଗର
ମହାଭାରତ କି ରାମାୟଣ ଦେଲେ ଦର୍କାର ନାହିଁ ଖାଦ୍ୟର |
ପିତା ମାତାଙ୍କର ଗେହ୍ଲା ପୁଅ ସିଏ ସବୁ ଆଦରର ଖଣି
ଆକଟ ଅଭାବ ଅତି ସ୍ନେହଭାବ ଅବାଟରେ ଧନମଣି |
ଯାତ୍ରା ନାଟ ଗୀତ ଅଶ୍ଳୀଳ ଚିତ୍ରକୁ ଧିରେ ଧିରେ ଆଦରିଲା
ବାପ ମାଆଙ୍କର ଅଜ୍ଞାତରେ ନଗ୍ନ ରମଣ ଦୃଶ୍ୟ ଦେଖିଲା |
ପରୀକ୍ଷା ଆସିଲା ଚିନ୍ତା ଜ୍ଵର ହେଲା କିଛି ହେଲେ ପଢ଼ି ନାହିଁ
ସାଙ୍ଗ ସାଥିମାନେ ଯାହା ପଚାରିଲେ ମୂକ ପରି ରହେ ଚାହିଁ |
ପରୀକ୍ଷା ଦିନରେ ମହାଭାରତର କର୍ଣ୍ଣବଧ ପର୍ବ ଥିଲା
ବସୁବସୁ ତାର ମନେ ପଡ଼ିଗଲା ଅଧାରୁ ଉଠିଆସିଲା |
ଗୁରୁଜୀ କହିଲେ କିଛି ଲେଖି ନାହୁଁ ଖାତା ଦେଲୁଣି ଫେରାଇ
ଅତରଛ ଝାଡା ଲାଗିଲାଣି ଆଜ୍ଞା ପେଟ ମାରେ ଟାଇଁ ଟାଇଁ |
ପାଇଖାନା ଯାଅ କହନ୍ତେ କହିଲା ଘରକୁ ମୁଁ ଚାଲିଯିବି
ଡାକ୍ତର ସହିତ ପରାମର୍ଶ ହୋଇ ଶୀଘ୍ର ଔଷଧ ଖାଇବି |
ସମ୍ଭାଳି ହେଉନି ଅହୋ କି ଯନ୍ତ୍ରଣା ମିଛ କହି ଚାଲିଗଲା
ମହାଭାରତର ଅଧା ସିରିଏଲ ଦେଖି ମନ ଖୁସି କଲା |
ପରୀକ୍ଷାରେ ଫେଲ ହେଲା ପରେ ବାପା କରିଲେ ଦୃଢ଼ ଆକଟ
ଦିନେ ହେଲେ ଆଉ ଟିଭି ଦେଖିବୁନି ଶୁଣି ହେଲା ଛଟପଟ |
ପାଠ ପଢ଼ା ଆଗ ଟିଭି ଦେଖା ପଛ ମନେ ରଖ ବାଳଗଣ
ଦୂରଦର୍ଶନରେ ବାଇଆ ହୋଇଲେ ପାଠ ନଷ୍ଟ ଅକାରଣ ||