STORYMIRROR

Simanchal Rana

Romance

3  

Simanchal Rana

Romance

ଦୂରାଗତ ସ୍ୱପ୍ନ

ଦୂରାଗତ ସ୍ୱପ୍ନ

1 min
200


ସୂର୍ଯ୍ୟାସ୍ତର ଶବ୍ଦରେ

ଯେତେ ସବୁ ରତିର କବିତା,

କେଉଁଠି ନା କେଉଁଠି ସେକ ତୁମେ-

ଜହ୍ନର ଦେହରେ ଜ୍ୟୋସ୍ନାର ବିବସତା,

ତୁମେ ଅର୍ଦ୍ଧନଗ୍ନ କାନ୍ଥର ବି କାହାଣୀ

ପଟାଯୋଡ଼ା ପଥର ଖରାଖିଆ ଦାଗ,

ଆଦିମ ମନ୍ତ୍ରର ଶୀଳାଲେଖ ତୁମେ-

ଯୌବନର ଜଳକା ସନ୍ଧ୍ୟାରେ

ଭିନ୍ନ ଏକ ଆଦ୍ୟପ୍ରାନ୍ତ।


ଦୂରାଗତ ସ୍ୱପ୍ନର

ଶିଥିଳଚରଣା ବିକ୍ଷୋଭ ନଈ

ନହକା ବି ଅଂଟାପିଠି ତୁମେ,

ନାଭିରେ ବି ସମୁଦ୍ରର ଶେଷ ଶବ୍ଦ

ଭୁଆଁଭୁଲା ଭଉଁରୀର ଅକାତ କାତେ,

ତୁମେ ଏକ ମନୋଲୋଭା ଶେଷ ବିଜନତା

ପାହାନ୍ତିର କୁଆଁତରା ଶୂନ୍ୟ ନୀରବତା।


ଫାଲଗୁନର ଫୁଲରେ

ତୁମେ ଦିଅ ତୁମ ଗାଲ ସ୍ଵାକ୍ଷର,

କେଶରେ ଅଲରା ଉପତ୍ୟକା ଯେତେ

ମେଷଲୋମୀ ଆକାଶର ସାକ୍ଷାତ,

ଚୈତ୍ରର ଚନ୍ଦ୍ରାୟିତ

ହେଉ ପଛେ ଉଦାସ ଅପରାହ୍ନ,

ମୁଁ ଶୋକର ସଞ୍ଚିତ ଶ୍ରାବଣରେ ଭିଜାଇବି

ମୋର ଯେତେ ସ୍ୱପ୍ନାହତ ଆବେଗ।


ସୁନା ହରିଣ ଖୁରାରେ

ଯେତେ ସବୁ ଉଡାଇଛି ସ୍ୱପ୍ନର ପ୍ରହର-

ଅପ୍ରାପ୍ତିରେ ପ୍ରାପ୍ତି ହୋଇ ନିଜ ଅଧୀଶ୍ଵର,

ତୁମେ ଆସ ମଗ୍ନ ଗୋଧୂଳିର ଶେଷେ-

ଦେଖିବ ପାଦଚଲା ଭାଗ୍ୟର ନିମଗ୍ନ ଶେଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance