STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଦୁଷ୍ଟ ବୟସ

ଦୁଷ୍ଟ ବୟସ

2 mins
197

  (ରମ୍ୟ ରଚନା)

ପଚାଶ ଫଗୁଣ ମୋ ଦେହେ ବାଜିଲା

  ମଳୟ ଦୂରେଇ ଗଲା 

ବାର୍ଦ୍ଧକ୍ୟ ଆସି ମୋ ଦ୍ଵାର ନିକଟରେ

  ଗେଟ୍ ଠକ୍ ଠକ୍ କଲା।


ସ୍ଵାଗତ କରିବ ଫୁଲଗୁଚ୍ଛ ଦେବ

  ବରିଷ୍ଠ ବ୍ୟକ୍ତିତ୍ଵ କହି 

ଜରାଶ୍ରମ ପାଇଁ ଦରଖାସ୍ତଟିଏ

  ଲେଖିଲାଣି ମୋ ପାଇଁ।


ଯମକାର୍ଯ୍ୟାଳୟେ ନାଆଁଟିକୁ ମୋର

  ପଞ୍ଜୀକରଣ କରିଛି 

ବାର୍ଦ୍ଧକ୍ୟ ଆସୁଛି ସୂଚନା ଦେବାକୁ

  ମୋ ଦୁଃଖ ସୁଖରୁ‌ କିଛି।


ବାର୍ଦ୍ଧକ୍ୟ ଭତ୍ତା ମୋ ଶୀଘ୍ର ମିଳିବାକୁ

  ବୟସ ମୁଁ ବଢେଇଛି  

ପ୍ରେମ କରିବାକୁ ସୁନ୍ଦରୀଙ୍କ ପାଖେ

  ବୟସ ମୋ କମ‌ଉଛି।


ବାର୍ଦ୍ଧକ୍ୟର ଛାପ ବୋଳିଦେଇଗଲା

  ସେଦିନୁଁ ଦୁଷ୍ଟ ବୟସ 

ମ‌ଉସା ଡାକଟା ଉପହାର ଦେଲା

  ସେ କିନ୍ତୁ ଲାଗୁଛି ବିଷ।


ମୁଁ କିନ୍ତୁ ରସିକ ଏତେ ସହଜରେ

  ବାର୍ଦ୍ଧକ୍ୟକୁ ଚାହେଁ ନାହିଁ 

ଚୂଳକଳା କରି ବରମୁଣ୍ଡା ପିନ୍ଧି

  ନିଶ ଡେଲି ଚାଞ୍ଛୁଥାଇ।


ହାଇସ୍ପିଡ୍‌ରେ ମୁଁ ବାଇକି ବି ଚଢେ

  ବିନା ଚଷମାରେ ପଢେ 

ସତର ବୟସ ଝିଅ ଫସୁଛନ୍ତି

  ଯେବେ ତାଙ୍କୁ ଆଖିମାରେ।


ଆଜିକା ଝିଅଙ୍କୁ ମୋହଠାରୁ କିଏ 

  ଅଧିକା ବା ଚିହ୍ନିଛନ୍ତି 

ଆଗେଆଗେ ମିଠା ପଛକୁ ଯେ ଅଠା 

  ଚୁଇଂଗମଟି ଯେମିତି।


 ସପନ ଦେଖୁଛି ଦିନରେ ମୁଁ ପୁଣି

  ରସିକ ଶେଖର ପଣେ 

ଫେସବୁକ୍ ଦେଖି ସୁନ୍ଦରୀମାନଙ୍କୁ

  ଲାଇକ୍ କରେ ଜଣେ ଜଣେ।


ମୋ ହାତେ ପାୱାର ଯଦିବା ଥାଆନ୍ତା

  ମୋଟେ ବୁଢ଼ା ହୁଅନ୍ତିନି 

ବୟସକୁ ମୋର ଆଗକୁ ଯିବାକୁ

  ଆଉ କେବେ ଦିଅନ୍ତିନି।


ତଣ୍ଟିଆ ମାରିକି ଦୁଷ୍ଟ ବୟସକୁ

  ପାଖୁଁ ଦୂରେଇ ଦିଅନ୍ତି 

ହାତ ଧରି ତା'ର ଦରିଆ ସେପାଖେ

  ନେଇ ଛାଡ଼ି ଆସିଥାନ୍ତି।


ଆଜିକାଲି ପୁଣି ଛକ ବଜାରରେ

  ଡିମାଣ୍ଡ ମୋ କମିଲାଣି 

ମ‌ଉସା ଡାକଟା ବାରମ୍ବାର ମୋର

  ଛାତିକି ହକ୍ କଲାଣି।


ପୁଉଣି କୁହନ୍ତି ଅଳିହା ବୁଢ଼ା ଏ

  ରସିକ ନମ୍ବର ଓ୍ଵାନ୍ 

ଝିଅଙ୍କୁ ଦେଖିଲେ ଅଧାଚନ୍ଦା ମୁଣ୍ଡେ

  କରୁଛି ହସ୍ତ ଚାଳନ। 


ଶାଢୀ ନ ପିନ୍ଧିକି ଆଜିକାଲି ବୁଢି

  ପିନ୍ଧୁଥାନ୍ତି ଚୂଡିଦାର 

ଭେନିଟ୍ ଗଳେଇ ପ୍ରଚାର କରନ୍ତି

  ବୟସ ତାଙ୍କ ଅଠର।


ମୋବାଇଲ ଧରି ଫୁଲେଇ ହୁଅନ୍ତି

  ଲିପିଷ୍ଟିକ୍ ଓଠେ ବୋଳି 

ଚୁଡିଦାର ପିନ୍ଧି ଆସୁଛି ଦେଖିଲି

  ଷାଠିଏ ବର୍ଷର ବୁଢି।


ମୋତେ ଦେଖିଦେଇ ମ‌ଉସା ଡାକିଲା

  ହୋଅସ ଗଲା ମୋ ଉଡି  

ଚାଲୁଣି କହୁଛି ଛୁଞ୍ଚିକୁ ଦେଖ ହୋ

  ତା ପଛରେ କଣା ବୋଲି?


 କ'ଣ କୁଆଡୁ ଦେଖି ଦେଇ ମୋତେ

  ଡାକୁଛ ତୁମେ ମ‌ଉସା 

ଡାଲା ବାଜିଲାଣି ତୁମର ମାଉସୀ

  ଷୋଡ଼ଶୀ ହେବାକୁ ଇଚ୍ଛା।


ଏତିକି କଥାରେ ଚପଲଟା କାଢି

  ମୋତେ ସେକିଦେଇ ଗଲା 

ମୋ ମୁଣ୍ଡରେ ଥିବା ରସିକ ଭୂତଟା

  ଆପେ ସେ ଓହ୍ଲେଇ ଗଲା।


ଏଭଳି ବୁଢିଙ୍କୁ ଆଣ୍ଟି ଡାକିଦେଲେ

  ଚିପିଦେବେ ପରା ତଣ୍ଟି 

ଆଇଲଭ ଇୟୁ କହିଦେବ ଯଦି

  ତେବେ ହେବେ ଯାଇ ଶାନ୍ତି।


ଚୂଳରଙ୍ଗ ବୋଳି ମେକପ୍ ହୋଇଲେ

  କି ବା ସବୁଦିନ ଥିବ 

ବୟସର ଦାଗ ଦେହେ ଲାଗିଗଲେ

 ଆପେ ଫୁଟି ଦିଶୁଥିବ।


ଦେହ ସିନା ବୁଢ଼ା ଅବଶ୍ୟ ଯେ ହୁଏ 

  ମନ ବୁଢ଼ା ହୁଏ ନାହିଁ 

କବିର ମନଟି ସଦା ସବୁଜିମା

  ସତେ ଚିରସ୍ରୋତା ନ‌ଈ।



Rate this content
Log in

Similar oriya poem from Comedy