ଦୁଃଖ ଭାଗିଦାର କିଏ
ଦୁଃଖ ଭାଗିଦାର କିଏ


ପଥ କ୍ଲାନ୍ତେ ଆଜି ଥକି ପଡିଛି ମୁଁ
ଅଫେରା ବାଟୋଇ ଟିଏ ।
ନଈ ଆର ପାରେ ନିରୋଳା ଏ' ବେଳେ
କିଏ ଡାକି ରହି ଯାଏ ।
ଭାରି ଚିହ୍ନା ଲାଗେ ସିଏ ।।0।।
ଅନେକ ସମୟ ଆସିଛି ଜୀବନେ
ଏକା ଏକା ଚାଲିବାରେ ।
ଚଲା ପଥେ କେତେ ସହଗାମୀ ସାଥେ।
ସୁଖ ଦୁଃଖ ବାଣ୍ଟିବାରେ ।
ବୁଝିଚି ସଂସାରେ ଆପଣାର
ହୋଇ ବଞ୍ଚିବାକୁ ନାହିଁ କିଏ ॥୧॥
ସ୍ବାର୍ଥମୁଖା ପିନ୍ଧା ଦୁନିଆଁରେ ଯେତେ
ବଞ୍ଚିବାର ଅଭିନୟ ।
ଜୀବନ ସଂଘର୍ଷେ ଜିତିବାର ଆଶେ।
ହୁଏ ଯେବେ ପରାଜୟ ।।
ଆପଣାର ଯେତେ ମୁହଁ ନ ଚାହିଁଲେ ।
ଦୁଃଖେ ଭାଗୀଦାର କିଏ ।।୨।।