ଦୋଛକିରେ ଜୀବନ
ଦୋଛକିରେ ଜୀବନ
ନଶ୍ଵର ରକ୍ତ ମାଂସର ଶରୀର ଜାଣିଛି
ଯୁଇରେ ସରିବ ପାଉଁଶ ଅଙ୍ଗାର
ଜାଣିଛିରେ ଆଜ୍ଞା
ସୁନ୍ଦର କାୟା ପାଇଁ କାହିଁକି ଏତେ ମାୟା ?
ଜାଣିନି , ଆଦୌ ଜାଣିନି
ଛଅ ଖଣ୍ଡ କାଠରେ ବନ୍ଧାହେବ କୋକେଇ ଜାଣିଛି
ମୁର୍ଦ୍ଦାର ଯିବ ଶ୍ମଶାନ ଚାରି କାନ୍ଧେ ବୋହି
ଜାଣିଛିରେ ବାବା
ବନ୍ଧୁ ବାନ୍ଧବ ସାଙ୍ଗେ କାହିଁକି ଏତେ ପ୍ରୀତି ଛାୟା ?
ଜାଣିନି , ଆଦୌ ଜାଣିନି !
କାଳର ଇଂଗିତରେ ଜୀବନ ନାଟିକା ନାକରେ ଜାଣିଛି
କିସ୍ତିରେ ଜୀବନ ଚାଲିଛି ଭଡ଼ା-ବନ୍ଧକ ସୁତ୍ରରେ
ଜାଣିଛିରେ ଆଜ୍ଞା
ଜୀବନ ସରଣୀ ପାଇଁ କାହିଁକି ଆଗ୍ରହୀ ଶ୍ରମଣ ଶ୍ରମଣୀ ?
ଜାଣିନି, ଆଦୌ ଜାଣିନି !
ମାଟିର ମଣିଷ ଆମେ ମାଟିରେ ମିଶିବା ଶେଷେ
ଜାଣିଛି
ମାଟି ମନସ୍କ ହୋଇ ମାଟି ମୁଣ୍ଡଳା ପିଣ୍ଡୁଳା ଅବଶେଷେ
ଜାଣିଛିରେ ଆଜ୍ଞା
କଥା କଥାରେ ଆକାଶଛୁଆଁ ଅଟ୍ଟାଳିକା କାହିଁକି ?
ଜାଣିନି, ଆଦୌ ଜାଣିନି !
ଅନ୍ଧପୁଟୁଳି ପିନ୍ଧି କୁହୁଡି ପହଁରା ଆମେ ମହୁରାଳି
କଥା କଥା କେ ଫିଟି ପଡ଼େ ଆମ ତୁଣ୍ଡ ହାବେଳି
କିନ୍ତୁ ପରନ୍ତୁ ଅଧିକନ୍ତୁ
ଅସଲ ବିପତ୍ତି ବେଳକୁ ମୌନୀ ଅବତାରି ପାତାଳି
ଜାଣିଛି ଆଉ ଜାଣିନି ରେ ସରିଲା ଜୀବନ
ଆକ୍ତାମାକ୍ତା ଦୋଛକିରେ
ସତ୍ୟ ଶିବ ସୁନ୍ଦର ପରମେଶ୍ବର ପାଦେଧ୍ୟାନ
ଶରଣାଗତ ଭକ୍ତି ସୁମନରେ ।