ଦୀପାବଳୀ ସ୍ମରଣେ
ଦୀପାବଳୀ ସ୍ମରଣେ
ଆଜି ଆମେ ବରିଷ୍ଠ ନାଗରିକ ସରବ ll
ପିଲାଦିନ ମଜା କଥା ମନେ ପଡ଼େ ଆଜି
ଖେଳୁଥିଲୁ କେତେ ବାଣ ଆତସ ବାଜି ll
ଦିନକର କଥା କହୁଛି ମୁଁ ଆଜି ନାତୁଣୀକୁ
ମନ ଦେଇ ଶୁଣ ସବୁ ବାବୁ ହେଜି ମନକୁ ll
ଥରେ ଆମ ଘରକୁ ଆସିଲେ ମୋ ଅଜା
ସେଦିନ ଦିବାଲୀ ଖୁସିଲେ ଖାଇଲୁ ଖଜା ll
ଅଜା ଆଣିଥିଲେ ସାଙ୍ଗେ ସାଲେପୁର ଖଜା
ଖାଇଲୁ ଆମେ ଭାଇ ଭଉଣୀ ପାଇ ମଜା ll
ରାତିରେ ମାତିଗଲୁ ସବୁ ବାଣ ଫୁଟାରେ
ଘରେ ଖାଇ ଖିରୀ ପିଠା ଅଜାଙ୍କ ସାଙ୍ଗରେ ll
ଖାଇସାରି ଅଜା ମତେ ଦେଲେ ଫୁଲଝରି
ମନା କରି ଦେବା ପାଇଁ ଫୋଟକା ସବୁରି ll
ଜିଦି କଲି କାନ୍ଦି କହିଲି ଅଜାଙ୍କୁ ଦିଅ ବାଣ
ଫୁଟେଇବିନି ଖାଲି ଫୁଲଝରି ଦିଆସିଲି ବାଣ ll
ରାଗିଯାଇ ଅଜା କହିଲେ ତୁ ଏକ ଛୋଟ ପିଲା
ପୋଡ଼ିପାଡ଼ି ଯିବ ଦେହ ତୋ ଛାଡ଼ିଯିବ ଗେହ୍ଲା ll
ବିପଦ ଭାରି ତାଳ ଫୋଟକା ଘଡ଼ି ବମ୍ ଫୁଟା
ଟିକେ ଖାମ ଖିଆଲିରେ ଫୁଟିଯିବ ଆଖି ଗୋଟା ll
ରାଗ ଆସିଲା ଅଜାକୁ ଚଖେଇଵାକୁ ପାନେ ମଜା
ବସିଥିଲେ ଅଜା ଖିଲିପାନ ଚୋବେଇ ପିଣ୍ଡାରେ
ମେଲେଇ ଧୋତି କଛାକୁ ଫୁଟାଇ ବାଣ ଦୀପରେ ll
ଚିନା ଫୋଟକା ପେନ୍ଥା ବାନ୍ଧିଲି ମୁଁ ଲମ୍ବା ସୂତାରେ,
ସୁତା ଆର ଖିଅ ଟାଣି ବାନ୍ଧିଦେଲି ଅଜାଙ୍କ କଛାରେ ll
ଲଗେଇ ଦେଲି ମୁଁ ନିଆଁ ଚିନା ଫୋଟକା ନାସିରେ
ଅଜାଙ୍କ ଅଜାଣତରେ ଢୋ ଢ଼ା ଫୁଟିଲା ଲୁଗା ତଳେ ll
ଉଠି ପଡ଼ିଲେ ନିଶୁଆ ଅଜା ତରବରି ବଡ଼ ଛାନିଆ
ଚାଲିଗଲା ମଜା ଅଜାଙ୍କ ଚିକିଣିଆ କଥା ପାନ ଖିଆ ll
ଦଉଡ଼ିଲେ ଅଜା କଛାକୁ ଝାଡ଼ି ଧୋତିକୁ ଫୋପାଡ଼ି
ଧଇଲେ ମୋ କାନ ଜୋରରେ କସିକି ଦେଇ ମୋଡ଼ି ll
ଲଙ୍ଗଳା ଅଜାକୁ ଦେଖି ହସିହସି ଗଲିଗଡ଼ି ତାଳି ମାରି
ବୋଉ ଆସି ପହଞ୍ଚିଲା ହାତେ ଏକ ରୁଲବାଡ଼ି ଧରି ll
ଦଉଡ଼ିଲି ପ୍ରାଣ ବିକଳେ ମୁଁ ଆମ ଛାତ ଉପରକୁ
ଗୋଡ଼ାଉଥିଲା ବୋଉ ମୋ ପଛେ ଛିଞ୍ଛାଡ଼ି ରାଗକୁ ll
ଧରା ନଦେଇ ବୋଉକୁ ଚାଲିଗଲି ଜେଜେଙ୍କ ପାଖକୁ
ବୁଝାଇ ଜେଜେ ବୋଉକୁ ଶାନ୍ତ କଲେ ତାର ରାଗକୁ ll
ରାତି ନଟା ବାଜିଲା ହେଲା ମୋର ଖାଇବାର ବେଳ
ରାତିଖାଦ୍ୟ ଖାଇ ଶୋଇ ସକାଳୁ ଉଠିଲି ମୁଁ ସହଳ ll
ଗଲାଣି ସେକାଳ ପଖାଳ ହଜି ସମୟର ଚକରେ,
ଖୁସିରେ ନାଚିଉଠେ ମୋମନ ଆଜି ଅଭୁଲା ସ୍ମୃତିରେ ll
