ଧର୍ମାଵତାର
ଧର୍ମାଵତାର


ଗାଁ ମୁଣ୍ଡ ଦେଉଳ ଆଗରେ
ବିଚାର ନାଁରେ ପଡିଛି ଚହଳ
ସାମ୍ନା ବର ଅଶ୍ୱତଥ ବୃକ୍ଷରେ
ବନ୍ଧା ହେଇଛନ୍ତି ପ୍ରେମୀ ଯୁଗଳ !
କିଏ କହେ ଦେଖ
କେଡେ ସାହସ ଏଡିକି
ବକଟେ ଟୋକି ର,
ଛାଡି ଲାଜ ସରମ
ପ୍ରେମରେ ପଡିଛି
ନ ବିଚାରି ଜାତି ଗୋତର !
ଇନ୍ଦିରା ଆବାସ
ଗାଁ ରେ ବାଣ୍ଟୁ ବାଣ୍ଟୁ
ନିଜ ନାମେ ରଖି ସତର,
କହନ୍ତି ସରପଞ୍ଚ ତାଙ୍କର
ମେଞ୍ଚଡ ଟୋକା ଟା
ଭୁଲି ଗଲା ସେ ଯେ
ଅଟଇ ବ୍ରାହ୍ମଣ କୂଳର !
କୁଜି ନେତା ତାଙ୍କ
ଭତ୍ତା ବାଣ୍ଟୁ ବାଣ୍ଟୁ
କଲେଣି ଦୁଇଟା କୋଠା ଘର,
କହିଲେ ସେ ଧର ଧର
ମୁହଁ ରେ ୟାଙ୍କର
ଶୀଘ୍ର ଚୂନକାଳି ମାର l
ଗାଁ ର ମୁଖିଆ
ସଳଖି ଉଠିଲେ,
ଦିନେ ନିଇତି ଜଣକୁ
ପ୍ରେମରେ ଫସାଇ
ରାସଲୀଳା କରୁଥିଲେ,
ଆଜି ଦେଖାଇ ବହପ
ନିଶରେ ହାତକୁ ବୁଲାଇ
କହନ୍ତି, ଏଗୁଡାଙ୍କୁ ଆଗ
ସାବାଡ କର l
ବିଚାରକ ଦଳ ଠାରରେ
ମାରିଲେ ମୋହର,
ଯଥା ଶୀଘ୍ର ଏମାନଙ୍କୁ
ଜୀବନରୁ ଶେଷ କର !
ନୋହିଲେ କଳଙ୍କ ଲାଗିଯିବ
ଆମ ଗାଁ ପରିବାର ନାଁ ର l
ଦେଶର ସମ୍ପତ୍ତି
ଲୁଟି ନେଇ ଖାଇ,
ଦିନରାତି ବ୍ୟଭିଚାରରେ
ମାତି ରହନ୍ତି, ତଥାପି
ଚିତ୍କାର କରନ୍ତି,
ସେମାନେ ଧର୍ମାବତାର
ସମାଜ ସଂସ୍କାରର ଦାୟିତ୍ୱ
ଏକା ସେମାନଙ୍କ ର !