ଧାନ - ଏକ ସନେଟ୍
ଧାନ - ଏକ ସନେଟ୍
ଅକ୍ଷି ମୁଠି ବୁଣୁ ବୁଣୁ ବୁଣିଥାଏ ମନେ ମୋର ଅନେକ ସପନ
ସପନ ନୁହଇଁ ତାହା ବଞ୍ଚିବାର ଅନୁପମ ଉପାଦାନ ଯେତେ
ଚୁନା ଚୁନା ସ୍ବପ୍ନ ଦିଏ ବୁଣା ହେବା ଗୋଟି ଗୋଟି ଧାନ
ଯାହା ହେଉ ପରିଶ୍ରମ କଷ୍ଟ କେବେ ଦିଏନାହିଁ ମୋତେ।
ଧରିତ୍ରୀ କର୍ଷଣ ବେଳେ କେବେ କାଚ କେବେ କଣ୍ଟା ଫୁଟେ
ମାଟି ମାଆ ଓଦା ହୁଏ ଚାଖି ମୋର ପାଦର ରୁଧିର
ମନେ ପଡେ ପିଲାଦିନ ଆଙ୍ଗୁଠି କଟିଲେ ରକ୍ତ ବୋଉ ଯେ ଆକଟେ
ମାଟି ମାଆ ଓ ବୋଉର ସବୁବେଳେ ସନ୍ତାନର ସୁଖର ଫିକର।
ରକ୍ତ ଆଉ ପଡିଥିବା ଝାଳ ଧାନ ଦେହେ ଆସିଥାଏ ଫେରି
ଶସ୍ୟର ଦେହରେ ଥାଏ ଲାଲ ଆଉ ପାଉଁସିଆ ଦାଗ
କୁଟା ଧାନ ନାଲି ଦାଗ ଦେଖିଦେଲେ ମନ ଯାଏ ଭରି
ଜଣାପଡେ ମାଟି ମାଆ ଧାନ ସାଥେ ଫେରାଇଛି ସେଇ ରକ୍ତ ଭାଗ।
ବୁଣିଥିବା ସ୍ବପ୍ନ ଯେତେ ଧାନକେଣ୍ଡା ଲହକାରେ ଖିଲିଖିଲି ହସେ
ମୁଠାଏ ସପନ ଚାଙ୍ଗୁଡିଏ ଧାନ କରି ମାଟି ମାଆ ଫେରାଏ ହରସେ।
