STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ -ଏକବିଂଶ କଳିକା

ଦେବଯାନୀ -ଏକବିଂଶ କଳିକା

1 min
189


ସବୁ ଯୁଗରେ ଦାନବଙ୍କ ଜାତି,

ନିଜ ପାଦରେ କୁରାଢି ମାରନ୍ତି।

ମହା ବିର୍ଯ୍ୟଶାଳୀ ରାଜା ହିରଣ୍ୟ, 

ହରିଦ୍ରୋହେ କଲା ମୃତ୍ୟୁ ବରଣ।

ଶିବ ବରରେ ବଳୀ ଭସ୍ମାସୁର,

ନିଜେ ନିଜକୁ କରିଲା ସଂହାର।

ମହା ବଳବନ୍ତା ଥିଲା ମହିଷା,

ଗଲା ବିନାଶ କରି ସ୍ୱର୍ଗ ଆଶା।

କେଡେ ପଣ୍ଡିତ ବିଂଶପାଣି ଥିଲା,

ନାରୀ ହରଣ କରି ନାଶଗଲା।

କେଉଁ ଲାଭ ଏପରି ପାଣ୍ଡିତ୍ଯରେ,

ଯେବେ ମୂଢତା ବିବେକକୁ ହରେ ?


ଦାନବଙ୍କ ଅତି ବୁଦ୍ଧିମତ୍ତାରୁ,

ମହା କଷ୍ଟେ ଅଛନ୍ତି ଶୁକ୍ର ଗୁରୁ।

ହୋଇ କର୍ତ୍ତବ୍ୟ ବିମୂଢ ମୁନିଶ,

ବୁଝି ନପାରନ୍ତି କରିବେ କିସ।

ଜୀବଦାନ ଯେବେ ଦେବେ କଚକୁ,

ନିଜେ ହରାଇବେ ନିଜ ପ୍ରାଣକୁ।

ଅସହାୟ ନେତ୍ରେ ଶୁକ୍ର-ନନ୍ଦିନୀ,

ଚାହିଁଛନ୍ତି ପିତାଙ୍କୁ ଦେବଯାନୀ ।


ଶୁକ୍ର ବୋଇଲେ "ସୁତା ! ଏବେ ଶୁଣ,

ଯେବେ କଚକୁ ଦେବି ମୁଁ ଜୀବନ,

ମୋର ଉଦର ଚିରି ପ୍ରକଟିବ, 

ମୋର ଅନ୍ତକାଳ ତାହା ହୋଇବ। 

ତାକୁ ନ ଦେଲେ ଜୀବନ ଉଦରେ,

ଜୀର୍ଣ୍ଣ ହୋଇବ ସେ ଅନାୟାସରେ।

କହ ପୁତ୍ରୀ,କା'ରେ ଦାୟ ତୋହର, 

କଚ'ଜୀବନ ଅବା ପିତା ତୋର?


"ତୁମ୍ଭେ ଦୁହେଁ ଅଟ ମୋର ଜୀବନ",

କହି ଦେବଯାନୀ କଲେ କ୍ରନ୍ଦନ ।

ବଂଚି ପାରିବି ନାହିଁ ତୁମ୍ଭ ବିନା,

କଚ ବିନା ଜୀବନ ବିଡମ୍ବନା।

ସହଜେ ତ ତୁମ୍ଭେ ମୋର ଜୀବନ,

କଚ ଅଟନ୍ତି ମୋର ପ୍ରାଣଧନ ।

ସମର୍ପିଛି ମୁଁ ପରାଣ ତାହାଙ୍କୁ,

ଆଉ ବଂଚିବି ନେଇ ମୁଁ କାହାକୁ ?

ଗଙ୍ଗା ଜଳରେ ଜୀବନ ହାରିବି, 

ପତି ରୂପେ ପରଜନ୍ମେ ପାଇବି।

ମୋତେ ଅନୁମତି ଦିଅ ପିଅର, 

ଜାହ୍ନବୀରେ ବିସର୍ଜିବି ଶରୀର।


ଅନୁତାପାନଳେ ଦଗ୍ଧ ବ୍ରାହ୍ମଣ, 

ଶୁକ୍ର ଭାବନ୍ତି କଲି ଘୃଣ୍ୟ କର୍ମ।

ହୋଇ ବ୍ରାହ୍ମଣ ସୁରାପାନ କଲି,

ନୀତି ଭ୍ରଷ୍ଟ ହେତୁ ଦଣ୍ଡ ଭୋଗିଲି।

ବିଚାରନ୍ତି ଅଛି ଉପାୟ ଏକ,

ଯହିଁ ବଂଚିବ ଜୀବନ ଦୁହିଁଙ୍କ।

ମୃତ୍ୟୁ ସଂଜୀବନୀ ମନ୍ତ୍ର ବଳରେ,

ଦେବି କଚକୁ ଜୀବନ ଉଦରେ, 

ସ୍ମୃତିଶକ୍ତିରେ କଚ ଧୂରନ୍ଧର, 

ଶିଖାଇବି ତାହାକୁ ସେ ମନ୍ତର।

ମହାମନ୍ତ୍ରକୁ ସ୍ମୃତିଗତ ହେବ,

ମୋର ଉଦର ଚିରି ବାହାରିବ।

ଜୀବନ୍ୟାସ ଦେବ ମୋର ଶବରେ

ସେହି ମୃତ୍ୟୁ ସଞ୍ଜିବନୀ ମନ୍ତ୍ରରେ।


ଯେଉଁ ସଂଜୀବନୀ ମନ୍ତ୍ର ବଳରେ,

ରାକ୍ଷସେ ଏଡେ ଦୁର୍ଦ୍ଧଷ ମହୀରେ ,

ତାକୁ ପାଇବେ ଯେବେ ଦେବଗଣ 

ଭାଙ୍ଗିଯିବ ଦାନବଙ୍କର ଟାଣ।

ଦେବତାଙ୍କ ସୈନ୍ୟ, ନର ଗନ୍ଧର୍ବ, 

ମୃତ୍ୟୁ ଅନ୍ତେ ପୁଣି ପାଇବେ ଜୀବ।"


ଏହା ଭାଳି ଶୁକ୍ର ହେଲେ ଚିନ୍ତିତ,

କାଳଗତିରେ ଅଛି କାହା ହାତ !!


କ୍ରମଶଃ:-----


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics