STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ -୩୨ତମ କଳିକା

ଦେବଯାନୀ -୩୨ତମ କଳିକା

1 min
268


ଆଶ୍ରମର ଶୋଭା ଅତି ମନଲୋଭା

ଦେଖି ବିମୋହିତ ଯଯାତି,

ନନ୍ଦନ କାନନ ହେବ କି ସମାନ !!

ବିମୁଗ୍ଧ ମନେ ବିଚାରନ୍ତି,

ଡୋଳେ ଦେଖିଲେ,ନାନାଜାତି ପୁଷ୍ପ ସମ୍ଭାର, 

ଯୂଇ,ଜାଇ,ମଲ୍ଲୀ,ମାଧବୀ, ମାଳତୀ ହେନା,କୁନ୍ଦ,ଚମ୍ପା,ଟଗର।।


ଖାଲି ପାରିଜାତ ନାହିଁବୋଲି ଏ'କି

ନୋହିବ ନନ୍ଦନ କାନନ !!

ଦେବଯାନୀ ଅଙ୍ଗ ବାସ ପାରିଜାତ

ଫୁଲ ସମ ହେବ ସମାନ,

ତାହା ନୋହିଲେ,ଭ୍ରମରେ କରିଣ ଗୁଞ୍ଜନ, 

ଆସନ୍ତେ କି ଧାଇଁ ସରୋଜ ଲପନ କରିବାକୁ ପରିକ୍ରମଣ !!


ବାସନ୍ତୀ ଲଳନା ହୋଇ ବାଟବଣା,

ଅଟକି ଯାଇଛି ଏଠାରେ,

ଫୁଲ ସୁରଭିରେ,ଭ୍ରମର ବୀଣାରେ,

ପରଭୃତ ମଧୁ ସୁରରେ,

ଫୁଲ ରଙ୍ଗରେ,ଦେଖି ଶାଢି ନାନାଜାତିରେ,

ହୋଇଣ ବିଭୋର ସାରା ସମ୍ବତ୍ସର ରହିଛି ଏ'ଉପବନରେ।।


ପଦ୍ମ ଶୋଭା ଘେନି ପୂର୍ଣ୍ଣ ପୁଷ୍କରିଣୀ,

ହୋଇଛି ମରାଳମାଳିନୀ,

ଦେଇଛନ୍ତି ତହିଁ ସଂଗୀତ ଆସର ବସାଇ ମଧୁବ୍ରତ ଶ୍ରେଣୀ, 

ସମ୍ବର୍ଦ୍ଧନାରେ,ରହିଛି ନଳିନୀ ଦୁହିତା ,

ବିତରଣ କରେ ମଧୁ ମଧୁକରେ ହୋଇ ସଂଗୀତେ ବିମୋହିତା।।


କେଉଁ ସ୍ୱର୍ଗଠାରୁ ଉଣା ହେବ ଏହି,

ଶୁକ୍ରାଶ୍ରମ ଶୋଭା ସମ୍ଭାର !!

ନାହିଁ ସିନା ଏଥି ଅମୃତ,ରହିଛି ଦେବଯାନୀ ଓଷ୍ଠ ମଧୁର,

ଭାଳି ଏମନ୍ତ,ସ୍ୟନ୍ଦନୁ ଓହ୍ଲାଇ ତୁରିତ,

ଚାହିଁ ଦିବ୍ୟ ଶୋଭା ହୋଇ ମନଲୋଭା କରନ୍ତି ଧୀରେ ପଦପାତ।।


ହୋଇଲେ ଆଶ୍ଚର୍ଯ୍ଯ ଗୁରୁ ଶୁକ୍ରାଚାର୍ଯ୍ୟ

ପୁତ୍ରୀ ସଙ୍ଗେ ଦେଖି ଯଯାତି,

ଧ୍ୟାନ ବଳେ ଜାଣି ସକଳ ବୃତ୍ତାନ୍ତ,

କ୍ଳେଶ ଲଭିଲେ ମହାମତି,

ଦେବଯାନୀଙ୍କୁ,ପ୍ରବୋଧି ନେଲେ ନିଜ ପୁର,

ଜାଣି ଯଯାତିଙ୍କ ଉପକାର ହୃଷ୍ଟ ହେଲେ ଦାନବ ଗୁରୁବର।।


ରାଜାଙ୍କ ଆଚାରେ,କର୍ମେ ବ୍ୟବହାରେ 

ପ୍ରୀତ ହୋଇଲେ ଶୁକ୍ରଦେବ,

ଦେଇ ଆଶୀର୍ବାଦ ବୋଇଲେ

 "ଅଖଣ୍ଡ ଧରା ନିର୍ଦ୍ୱନ୍ଦେ ଭୋଗ ଦେବ !

ଚନ୍ଦ୍ରବଂଶୀ ହେ ! ଜମ୍ବୁଦ୍ୱୀପେ ହୁଅ ମହାନ,

କର ଅଧିକାର ସସାଗରା ଧରା ବିସ୍ତାରି ବଂଶ ପଦ୍ମବନ।।


ମୁନିକୁମାରୀଙ୍କ ଆତିଥ୍ୟରେ ପ୍ରୀତ 

ହୋଇ ହସ୍ତିନା ନରବର,

ବୋଇଲେ ସୁଶୀଳେ ! କିଣିନେଲା ହେଳେ,

ହୃଦୟ ସୌହାର୍ଦ୍ଦ୍ୟ ତୁମ୍ଭର,

ଭୁଲି ପାରିବା,ସମ୍ଭବ ନୁହେଁ ଏ ଜୀବରେ,

ଋଣୀକଲ ଦେଇ ସ୍ୱର୍ଗୀୟ ସାନ୍ନିଧ୍ୟ, ଶୁଝିବି ତା କେଉଁ ପ୍ରକାରେ ?


ପାଇ ନୃପତିଙ୍କ ଚପଳ ଇଙ୍ଗିତ 

ବୋଲନ୍ତି ଧୀରେ ଦେବଯାନୀ, 

ପରିଶୋଧ ହେବ ଯେବେ ଦେଉଥିବ

ଦର୍ଶନ ତୁମ୍ଭେ ଧୀରମଣି, 

ଅବସରରେ,ଆସ ଆଶ୍ରମେ ଥରେ ଥରେ,

ଅପେକ୍ଷାରେ ଥିବୁ ଅନ୍ତେବାସୀଗଣ ଛାମୁଙ୍କ ଦର୍ଶନ ଆଶାରେ।।


ସଂଧ୍ୟା ଆଗମନ ପୂର୍ବରୁ ପ୍ରସ୍ଥାନ 

ଇଚ୍ଛାରେ ନହୁଷ ନନ୍ଦନ,

ପ୍ରଣମି ମୁନିଙ୍କୁ ଘେନି ମେଲାଣିକୁ

ଆରୋହିଲେ ନିଜ ସ୍ୟନ୍ଦନ,

ମୁନି କୁମାରୀ,ସମ୍ଭାଷିଲେ ମଧୁ ବଚନେ,

କଲେ ଆମନ୍ତ୍ରଣ ପୁନଃ ଆଗମନ କରିବା ପାଇଁକି ଆଶ୍ରମେ ।।


କ୍ରମଶଃ-------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics