STORYMIRROR

Kabiratna Nutan Kumar Behera

Abstract Drama Classics

3  

Kabiratna Nutan Kumar Behera

Abstract Drama Classics

ଦେବଶିଳ୍ପୀ ପ୍ରଭୁ ବିଶ୍ଵକର୍ମା

ଦେବଶିଳ୍ପୀ ପ୍ରଭୁ ବିଶ୍ଵକର୍ମା

1 min
127


ଦେବ ଶିଳ୍ପୀ ରୂପେ  ବିଶ୍ବର ନିର୍ମାତା

       ସ୍ଵୟଂ ପ୍ରଭୁ ବିଶ୍ଵକର୍ମା,

ଆଦି ଅନ୍ତ ବୁଝି    ହୁଏ ନାହିଁ ବର୍ଣ୍ଣି

      ଅନନ୍ତ ତାଙ୍କ ମହିମା।


ଭାଦ୍ରବ ମାସର  କନ୍ୟା ସଂକ୍ରାନ୍ତିରେ

      ହୁଏ ବିଶ୍ଵକର୍ମା ପୂଜା,

ମର୍ତ୍ତ୍ୟେ ଶିଳ୍ପୀ କୁଳ  ପୂଜିଥାନ୍ତି ସର୍ବେ

       ଉଡାଇ ବିଜୟ ଧ୍ବଜା।


ପୁରାଣ ମତରେ  ପିତା ଯେ ପ୍ରଭାସ

       ଅଷ୍ଟମ ବସୁଦେବତା,

ଯୋଗସିଦ୍ଧା ଗର୍ଭୁଁ   ଲଭି ଥିଲେ ଜନ୍ମ

      ବିଶ୍ଵକର୍ମାଙ୍କ ସେ ମାତା।


ମତାନ୍ତରେ ପୁଣି    ରହିଛି ପ୍ରମାଣ

      ପ୍ରଜାପିତା ବ୍ରହ୍ମଦେବ,

ନାଭି କମଳରୁ   ବିଶ୍ବକର୍ମାଙ୍କୁ ଯେ

     କରିଥିଲେ ଉଦଭବ।


ଅତ୍ୟନ୍ତ ସୁନ୍ଦର   ଦିବ୍ୟ ରୂପ କାନ୍ତି   

      ରତ୍ନହାରେ ବିଭୂଷିତ,

ଚତୁର୍ଭୁଜ ବେଶ   ଅତି ମନୋହର

     କର୍ଣ୍ଣେ କୁଣ୍ଡଳ ଶୋଭିତ।


ତେଜସ୍ବୀ ପୁରୁଷ   କାମଦେବ ସମ

      ଝଟକଇ ଦିବ୍ୟ ଆଭା,

କିଶୋର ବୟସ୍କ   ରୂପେ ପ୍ରତିଭାତ

      ପ୍ରକଟଇ ତାଙ୍କ ପ୍ରଭା।


ବ୍ରହ୍ମାଙ୍କ ନିର୍ଦ୍ଦେଶେ   ସୃଷ୍ଟିର ରଚନା

       କଲେ ପ୍ରଭୁ ବିଶ୍ଵକର୍ମା,

ବିଶ୍ଵର ସକଳ    ଶିଳ୍ପୀଙ୍କ ଜନକ

     ହୋଇ ସୃଜିଲେ ସୁଷମା।


ଦେବାଦେବୀଙ୍କର   ଅସ୍ତ୍ରରୁ ବିମାନ

      ଆଦି ଯେତେ ବିନିର୍ମିତ,

ସୁରମ୍ୟ ମହଲ  ସର୍ବ ଦେବଲୋକେ

      ସବୁ ତ ତାଙ୍କରି କୃତ।


ଶ୍ରେଷ୍ଠ ନିଦର୍ଶନ  ଶିଳ୍ପ କାରୁକାର୍ଯ୍ୟେ

      ସ୍ଵର୍ଗର ଅମରାବତୀ,

ତ୍ରିପୁରେ ଅନନ୍ୟ   ଅଦ୍ବିତୀୟ ସୃଷ୍ଟି 

     ଅମ୍ଳାନେ ପ୍ରକାଶେ ଜ୍ୟୋତି।


ପରଂବ୍ରହ୍ମ ସ୍ଵୟଂ  ସୃଷ୍ଟି କାର୍ଯ୍ୟେ ବ୍ରହ୍ମା

      ପାଳନେ ଅଟନ୍ତି ବିଷ୍ଣୁ,

ସଂହାର କରନ୍ତି   ସୃଷ୍ଟିରକ୍ଷା ଅର୍ଥେ

      ରୁଦ୍ର ରୂପେ ସେ ସହିଷ୍ଣୁ।


ଶିଳ୍ପ କାର୍ଯ୍ୟ କରି   ବିଶ୍ଵକର୍ମା ଭାବେ

      ବ୍ରହାଣ୍ଡରେ ସୁବିଖ୍ୟାତ,

ଏକ ବ୍ରହ୍ମ ସେହି   କର୍ମେ ଭିନ୍ନ ଭିନ୍ନ

       ସୃଷ୍ଟିର ସାର ତତ୍ତ୍ବ।


ବିଶ୍ବକର୍ମା ଅର୍ଥ    ବିଶ୍ବ ସୃଷ୍ଟିକର୍ତ୍ତା

      ପ୍ରଭୁ ସ୍ଵୟଂ ନାରାୟଣ,

ଭକ୍ତି ଚିତ୍ତେ ଚିନ୍ତି   କରି ଆରାଧନା 

       ଭକତ ନିଏ ଶରଣ।


ବିଶ୍ଵର ନିୟନ୍ତା   ବିଶ୍ବର କଲ୍ୟାଣେ

      ଦିଅନ୍ତି ଆଶିଷ ଢାଳି,

କରୁଣାକର ସେ    ରଖନ୍ତି ଉଦ୍ଧାରି

      ପାଦେ ତାଙ୍କ ପୁଷ୍ପାଞ୍ଜଳି।

   

      

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract