ଦେବ ଦୀପାବଳୀ
ଦେବ ଦୀପାବଳୀ
ଦେବ ଦୀପାବଳି କଥାଟି
ଶୁଣ ମୋ ଭଉଣୀ ଭାଇଟି
ଶ୍ରାଦ୍ଧ ବେଶ ପ୍ରଭୁ ହୁଅନ୍ତି
ପୂର୍ବଜଙ୍କୁ ଶ୍ରାଦ୍ଧ ଦିଅନ୍ତି
ପୂଜ୍ୟ ପୂଜା ପରମ୍ପରା ଏ
ପିଢିରୁ ପିଢିକୁ ଶିଖାଏ ।
ଦିଅଁ ନୁହେ ସେତ ମଣିଷ
ଆମରି କାଳିଆ ସାଆନ୍ତ
ମଣିଷଙ୍କ ପରି ଚଳେଟି
ଲୋକାଚାର ନିତି ପାଳେଟି
ଖାଇବା ପିଇବା ଶୋଇବା
ମିଳିମିଶି ପୁଣି ଚଳିବା ।
ସକାଳୁ ପହୁଡ ଭାଙ୍ଗଇ
ଆଖିମଳି ଜଗା ଉଠଇ
ନିତ୍ୟକର୍ମ ତାର ସରିଲେ
ଧୂପ ଅବକାଶ ହୁଏରେ
ଚକା ବଇଠିରେ ବସଇ
ଭକ୍ତଙ୍କର ଦୁଃଖ ଶୁଣଇ ।
ଦିନସାରା ଭକ୍ତ ଗହଳ
ମଣିମା ମଣିମା ଚହଳ
ରାତି ହୋଇଗଲେ ବହଳ
ହୁଏ ବେଶ ବଡ ସି°ହାର
ଦେବଦାସୀ ଗୀତ ଶୁଣିଟି
ରାତିରେ କାଳିଆ ଶୁଏଟି ।
ସବୁଦିନ ତାର ପରବ
ସିଏତ ଆମର ଗରବ
ଜଗା ପରି କେହି ହେବେନି
ପିତୃ ପୁରୁଷଙ୍କୁ ଭୁଲିନି
ରାଜା ଦଶରଥ କୌଶଲ୍ୟା
ଈନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚା ।
ନନ୍ଦ ବସୁଦେବ ଦେବକୀ
ଯଶୋଦା କାଶ୍ୟପ ଅଦିତୀ
ସେମାନଙ୍କୁ ଶ୍ରାଦ୍ଧ ଦିଏଟି
ଦେବ ଦୀପାବଳି ଦିନଟି
ମାର୍ଗଶିର ଅମାବାସ୍ୟା ରେ
ଦେବ ଦୀପାବଳି ପଡେରେ ।
ଶ୍ରାଦ୍ଧ ପାଇଁ ତିନି ମୂରତୀ
ଶ୍ରାଦ୍ଧ ବେଶ ପରା ହୁଅନ୍ତି
ପୁଷ୍ପାଳକ ବେଶ କରନ୍ତି
ନାଗପୁରୀ ଶାଢ଼ୀ ପିନ୍ଧାନ୍ତି
ଦେହରେ ଚଦର ଘୋଡାନ୍ତି
ମଥାରେ ପଗଡି ବାନ୍ଧନ୍ତି ।
ଦେବ ଦୀପାବଳି ପରବ
ତିନିଦିନ ଚାଲେ ଉତ୍ସବ
ଚତୃଦଶୀ ଅମାବାସ୍ୟାରେ
ଶୁକ୍ଳ ପ୍ରତିପଦ ଶେଷରେ
ଶ୍ରୀମନ୍ଦିରେ ଦୀପ ଜାଳିଟି
ଶ୍ରାଦ୍ଧ ପରା ଜଗା ଦିଏଟି ।
ଚାରି ଯୁଗ ବାପ ମାଆ ଟି
ସେମାନଙ୍କ ନାମ ସ୍ମରିଟି
ଅଦିତୀ କାଶ୍ୟପ ସନ୍ତାନ
ଅଟନ୍ତି ପରାସେ ବାମନ
ଦଶରଥ କୌଶଲ୍ୟା କୋଳେ
ରାମରୂପେ ଜନମ ନେଲେ ।
କୃଷ୍ଣ ଙ୍କ ଦ୍ବାପର ଲିଳାଟି
ଦ୍ବାପରରେ ସବୁ ଦୁଇଟି
ବସୁଦେବ ମାତା ଦେବକି
ଜନ୍ମ ଦେଇ ଛାଡି ଦେଲେଟି
ନନ୍ଦ ଯଶୋମତି ପାଳିଲେ
ଅଳି ଅରଦଳି ସହିଲେ ।
କାଳିଆତ ଭୁଲି ନାହିଁ ରେ
ସଭିଙ୍କୁ ସେ ଶ୍ରାଦ୍ଧ ଦିଏରେ
ଈନ୍ଦ୍ରଦ୍ୟୁମ୍ନ ଅବନ୍ତୀ ରାଜା
ଗୁଣ୍ଡିଚା ତ ତାଙ୍କ ଭାରିଜା
ପିତାମାତା ଵୋଲି ମାନଇ
ତାଙ୍କୁବି ସେ ଶ୍ରାଦ୍ଧ ଦିଅଇ ।
ଦେବ ଦୀପାବଳି ପର୍ବଟି
ଆମରି କାନରେ କୁହେଟି
ଶ୍ରଦ୍ଧା ବହି ନିଜ ମନେଟି
ପୂର୍ବଜଙ୍କୁ ଶ୍ରାଦ୍ଧ ଦେବଟି
ପିତୃ ପୁରୁଷ ଦୟା କଲେଟି
ନିଶ୍ଚୟ ମିଳିବ ସୁଖଟି ।