STORYMIRROR

Pritipriya Mohanty

Comedy Others

3  

Pritipriya Mohanty

Comedy Others

ଡାକିଲେ ମଲି ନ ଡାକିଲେ ମଲି

ଡାକିଲେ ମଲି ନ ଡାକିଲେ ମଲି

1 min
14.7K


ଲୋକଙ୍କ କଥାକୁ ଧରି ବସିବ ଯେ

ପାରିବନି କରି କିଛି,

ଲୋକ କଥା ଶୁଣି କି ଅବସ୍ଥା ହୁଏ

ବିସ୍ତୃତରେ ଜଣାଉଛି।

ହେଇଟି ଶୁଣୁଛ ସମ୍ବୋଧନ କରି

ସ୍ଵାମୀଙ୍କୁ ଥିଲି ମୁଁ ଡାକି

ରାଗି କରି ସେ ଜଣାଇଲେ ତୁମେ

କୋଉ ଯୁଗେ ଅଛ କହିବ କି।

ନାଁ ଧରି ମୋର ଆଜିଠୁ ଡାକିବ

ଛାଡ଼ ସେ କାଳିଆ କଥା

ସାଙ୍ଗସାଥି ମୋର ପାଖେ ଥିଲାବେଳେ

ଲାଜେ ନଇଁ ଯାଏ ମଥା।

ପତି ଦେବ କଥା ଅମାନ୍ୟ ନ କରି

ଡାକିଲି ତାଙ୍କ ନିର୍ଦ୍ଦେଶେ

ଡର ଥିଲା ଯେଉଁ କଥାକୁ ମୋହର

ଘଟିଲା ବି ତାହା ଶେଷେ।

ଶାଶୁ ମା' କାନେ ପଡିଲା ଏ କଥା

ରାଗେ ହେଲେ ଗରଗର,

କହିଲେ ଇଏ ଠିକ୍ କଥା ନୁହେଁ

ନାଁ ଧରିବାଟା ସ୍ଵାମୀର।

ଭଉଣୀ କୁ ଯେବେ ଜଣାଇଲି ଦୁଃଖ

ବୁଦ୍ଧିଟିଏ ଦେଲା ସିଏ,

ଗେଲୁ, ଧନ କହି ଭାଇଙ୍କୁ ଡାକୁନୁ

ମଡର୍ନ ଯୁଗ ତ ଇଏ।

ଭଉଣୀ କଥା ମୋ ମନକୁ ପାଇଲା

ଭାବିଲି ଏ ଠିକ ହେବ,

ଏମିତି କହି ମୁଁ ଡାକିଲେ ପତିଙ୍କୁ

ନ ହେବ କାହାର କ୍ଷୋଭ।

କାନରେ ବାଜିଲା ସାହି ପଡ଼ିଶାଙ୍କ

ହେଲେ କେତେ ହସାହସି,

କହିଲେ ଇଏ କି ଯୁଗ ହେଲା

ଲାଜ ନାହିଁ ବଦମାସି।

ମିକୁ ବାପା କହି ପତିଙ୍କୁ ଡାକିଲେ

ଚିକୁ କରେ ଅଭିମାନ,

ଚିକୁ ବାପା କହି ଡାକିଲେ ବି ମୁଁ

ମିକୁ ମାରି ବସେ ମନ।

ମନେମନେ ମୁଁ ସ୍ଥିର କଲି

ଡାକିବିନି କିଛି କହି,

ଦରକାରୀ ଯଦି ପଡ଼ଇ ସେତିକି

ଇଙ୍ଗିତଟେ ଦେବି ମୁହିଁ।

ପତି ଦେବଙ୍କର ବାଲ୍ୟବନ୍ଧୁ ଜଣେ

ଆସିଥିଲେ ଆମ ଘର,

ଦରକାରୀ କିଛି ଚିଜ ଲୋଡ଼ା ବୋଲି

ପତିଙ୍କୁ ମାରିଲି ଠାର।

ଠାର ଡାକ ମୋର ଦେଖି ଦେଇ ବନ୍ଧୁ

ମାଡିଗଲେ ପତି କତି,

କହିଲେ ବିଧାତା ତୋ ପାଇଁ ରଖିଲା

ମୁକ ସ୍ତ୍ରୀ ଏଇମିତି।

ହସିବି କି ମୁଁ କାନ୍ଦିବି ସତରେ

ପାରିଲିନି ଜାଣି କିଛି

ଡାକିଲେ ବି ମଲି ନ ଡାକିଲେ ମଲି

ହସୁଥାଏ ମିଛି ମିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy