ଦାଦନ
ଦାଦନ
ଦାଦନ !
ହଁ, ଦାଦନ ଶ୍ରମିକ ମୁଁ
ମୋ ପାଇଁ ତୁମର ଏ ଆରାମ
ଉନ୍ନତ ଜୀବନ ଶୈଳୀ ଓ ବିଳାସ ବ୍ୟସନ
ତଥା କଥିତ ନୈତିକତାର ଜୀବନ |
ମୁଁ କିନ୍ତୁ କେବଳ
ଭୋକ ପାଇଁ ଆହାର ଯୋଗାଡରେ
ଚିର ଫଟାକୁ ଉନ୍ନତ କରିବାର ପ୍ରବଳ ପ୍ରଚେଷ୍ଟା ଭିତରେ
ଫୋଟୋକା ପାଦରେ ଆଗେଇ ଯାଏ |
ତା' ଭିତରେ ସନ୍ତୁଳନ ହରାଇ
କେବେ ହାରିଯାଏ ଜୀବନ ଯୁଦ୍ଧରେ
କେବେ ଟ୍ରାକ ଉପରେ ତ
କେବେ ତତଲା ସୂର୍ଯ୍ୟ କିରଣରେ
ଅଜଣା ଦ୍ରୁତଗାମୀର ଚକ ତଳେ
କେବେ ଲିଭି ଯାଏ ନିଷ୍ପେଷିତ ଜୀବନ ଅକାରଣରେ |
ଦାଦନ ଶ୍ରମିକ ମୁଁ ! ଭୀରୁ
ଗଛରୁ ଝୁଲିଲେ ବି,
କଣ ଫରକ ପଡେ କାହାର ?
ବଳଦର ବି ଦୟା ଆସେ
ସାଥେ ମିଳାଏ ଥକି ପଡିଥିବା କ୍ଳାନ୍ତ ପାଦର
କେବଳ ଜିଇଁବା ଆଶାରେ ଆଗକୁ ଚାଲେ
ସଂସାରକୁ ପଛେ ଥୋଇ |
ଦାଦନ ଶ୍ରମିକ ମୁଁ ! ସାହସୀ
ସେଥିପାଇଁ ଜନ୍ମ ଦେଇ ପାରେ
ଜୀବନକୁ ରାସ୍ତାପାଖ ଗଛ ମୂଳେ |
କେବେ ଡହଳ ବିକଳ ହୁଏ
ପାଦ ଚଲା ରାସ୍ତା ପରେ ଜୀବନର ବୋଝ ବୋହି
ଭୋକ, ଖରା, ପରଖନ୍ତି ଧର୍ୟ୍ୟ ମାତୃତ୍ଵର |
ଦାଦନ ଶ୍ରମିକ ମୁଁ ! ମଣିଷ ଠୁ ହୀନ
ରକ୍ତର ରଙ୍ଗ, ଏଠି ଅତ୍ୟନ୍ତ ପାଣିଆ
ଜୀବନ ମୂଲ୍ୟହୀନ, ଲାଭକ୍ଷତି ଆଗେ |
କରୋନା ଟା ବଦନାମ ଖାଲି ମହାମାରୀ ବୋଲି
ବଡ ବେମାରୀ ତ ଗୁପ୍ତରେ, ରୁଗଣ ମାନସିକତା,
ଆଉ ସେଥିପାଇଁ ଦାଦନର ଜନ୍ମ ଓ ବଞ୍ଚିବା ମିଳେ
ଭିକରେ, ହକରେ ନୁହେଁ |