ମଝି ପାହାଚ
ମଝି ପାହାଚ
ମଝି ପାହାଚର ମଣିଷ
ନା ଉପରକୁ ଯିବା ସମ୍ଭବ
ନା ତଳକୁ ଆସିବା .......
ଉପରେ ପହଞ୍ଚିବାର ନିଶା
କେବଳ ଆଖିରେ ସୀମିତ
ପାଦ କିନ୍ତୁ ବନ୍ଧା
ଅର୍ଥନୀତିର ଟାଣ ଶିକୁଳୀରେ
ଗୋଟିଏ ପାହାଚ ଚଢିବାକୁ ଲାଗେ
ଶତ ସିଂହର ବଳ |
ତଳକୁ ଯିବାକୁ ଲୋଡା ଅନେକ ସାହସ ,
ମିଳାଇବାକୁ କାନ୍ଧ, ହାତ ଆଉ ଆଖି |
ମଝି ପାହାଚର ମଣିଷ ସବୁବେଳେ
ବନେ ଅଟ୍ଟହାସ୍ୟର ପାତ୍ର |
ମିଛ ସପନ ଓ ଅପୂରନ୍ତା ଅଶାର
ଦୀର୍ଘ ନିଶ୍ଵାସ ବେଳେ ବେଳେ ବାଣ୍ଟି ନିଅନ୍ତି
ସାଉଁଟା ଜୀବନକୁ !
ଉତ୍ସାହ ଓ ସକାରାତ୍ମକତାକୁ ଛାଡିଦେଲେ
ବଳି ପଡେ ଯାହା ସଂସ୍କାରର ମିଛ ସାହାରା
ଖୋଲା ଗୁପ୍ତ ତଥ୍ୟ ପରି ଅଣଦେଖା କରିବାକୁ ହୁଏ
ଲାଗେ, ସବୁ ନୀତି ନିୟମ ଯେମିତି ଲେଖା
କେବଳ ଏଇ ଶ୍ରେଣୀ ପାଇଁ |
ତଥାପି ଏକ ନୀରବ ଆତ୍ମତୃପ୍ତି
ମଝି ପାହାଚରେ ତିଷ୍ଠି ରହି,
ମଣିଷ ପଣିଆକୁ ବଞ୍ଚାଇ ରଖିବାର
ଆଉ ଉଭୟ ପାର୍ଶ୍ଵକୁ ନିକଟରୁ
ଦେଖି ଓ ପହଞ୍ଚି ପାରିବାର |
*********************
