ଚଉରା ମୂଳରେ ଶୀତ
ଚଉରା ମୂଳରେ ଶୀତ
କାକର ଛୁଇଁଲା ମାଟିର ଦେହକୁ
ଶୀତେଇ ଉଠିଲା ଦେହ
ମହ ମହ ହୋଇ ବାସିଲା ସକାଳ
ଜାଗିଲା ପୀରତି ମୋହ I
ଶୀତଳ ପବନ ତୋ ଦେହରେ ବାଜି
ମୋ ଦେହକୁ ଛୁଇଁ ଯାଏ
କୁହୁଡି ଓଢଣା ଢାଙ୍କେ ତୋର ମୁହଁ
କାକରେ ମୁଁ ଓଦା ହୁଏ I
କାର୍ତ୍ତିକ ମାସର ଚଉରା ମୂଳରେ
ବୟସ ମାରୁଛି ହାଇ
କୁହୁଡି ଆଡେଇ ଜହ୍ନକୁ ଡାକିଲି
ଟିକେ ବି ଚାହିଁଲା ନାହିଁ I
ଗଡିଗଲା ପାଣି ତଳକୁ ତଳକୁ
ହାତକୁ ଫେରେନି ଆଉ
ହଜିଗଲା ଦିନ ଲେଉଟିବ ନାହିଁ
ସ୍ମୃତି ହୋଇ ରହିଥାଉ I