STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଚୋରେଇ ଖାଇଲେ ମିଠା

ଚୋରେଇ ଖାଇଲେ ମିଠା

1 min
8


ଯଶୋଦା ମାଆର ମୁଁ ଗଳାର ମାଳି

ଯେବେ ହେଲେ ଜାଣି ଯିବ

ନିହାତି ଲବଣୀ ଖାଇଛି କି ବୋଲି

ମୋତେ ପଚାରି ବୁଝିବ

ଖାଇ ନାହିଁ ବୋଲି କହି ଦେବି ପୁଣି

ପୁଣି ମାଆ ପଚାରିବ

ଦୁଇ ଚାରି ଥର ନାହିଁ କରି ଦେଲେ

ମୁଣ୍ଡ କାନ ଆଉଁଶିବ

ତୁହାଇ ତୁହାଇ ପଚାରି ବୁଝିବେ

ଖାଇଛୁ କି ନାହିଁ କହ

ମୁଁ ଯେତେ ନାହିଁ କଲେ ମା ବୁଝିଯିବ

ମୋର ନାହିଁ ହିଁ ମା'ର ହଁ

ମାଆ ମନ ପରା ଜାଣିଛି ମୋ କଥା

ମୁଁ ପରା ଲବଣୀ ଖିଆ

ହାତେ ବାଡି ଧରି କାନ ମୋଡ଼ି ଦେଇ

ପାଖରେ ହୋଇବେ ଠିଆ

ଚୋରି କାମ ଆଦୌ ନୁହେଁ ଗ୍ରହଣୀୟ

କହିବ କେତେ ବୁଝାଇ

ସବୁ ହଁ ହଁ ବଡ ହଁ ହଁ କରି ଦେଲେ

କହିବ ବୁଝେ କହ୍ନେଇ


ଚୋରେଇ ଖାଇଲେ ଭାରି ମିଠା ଲାଗେ

ସହଜେ କହି ହେବନି 

ବଳେ ଜାଣି ଯିବେ କିଛି ଦିନ ପରେ

ଗୋପାଙ୍ଗନା ମୁଖେ ଶୁଣି

ସବୁ ମିଛ କଥା ନଟଖଟ କାମ

ଯଶୋଦା ମା କୁ ଜଣା 

ନାହିଁ କଲେ ଆପେ ବୁଝି ଯିବ ସିଏ

କାହ୍ନା କୁ କଣ ଅଜଣା 

ଚୋରି କରି କେତେ ଖାଇଛି ଲବଣୀ

ମୁଁ ପରା ଲବଣୀ ଚୋର

ଯେତେ ମନା କଲେ ଖାଇ ନାହିଁ ଆଦୌ

ତଥାପି ମୁଁ ହେବି ଚୋର


କେତେ ଦୁଧ ଛେନା ସର ଓ ଲବଣୀ

ଖାଇଛି ମୁଁ ଚୋରି କରି

ସେହି ଅବଗୁଣ ରହିଲା ହୃଦରେ

ପରେ ପରେ ଚିତ୍ତ ଚୋରି

ଲବଣୀ ଚୋର ରୁ ଚିତ୍ତ ଚୋର ହେଲି

ଗୋପରେ ପଡ଼ିଛି ହୁରି

ଚୋରି କରି ପାଟି ସୁଆଦ କରିଛି

ଗୋପୀ ହୃଦ କଲି ଚୋରି

ଘରେ ଚୋରି କରି ସାହସ ପାଇଛି

ମାଆ କାନ ମୋଡା ଖାଇ

କେତେ ଗୋପୀ ଚିତ୍ତ ଚୋରି କରିଅଛି

ରାଧା ପରି କେହି ନାହିଁ

ରାଧା ପରା ଏବେ ନିତି କହୁ ଅଛି

ଦଧି ଦୁଧ ଚୋର ତୁହି

କେମିତି ଚୋରେଇ ନେଲୁ ମୋର ଚିତ୍ତ

ଜାଣି ମୁଁ ପାରିଲି ନାହିଁ

ଯଶୋଦା ମାଆକୁ କହି ନାହିଁ ସତ

ଖାଇନି କହିଲି ନିତି

ରାଧା କ'ଣ ନିଜେ ଜାଣି ପାରୁ ନାହିଁ 

ମିଠା ଲାଗେ ଚୋରା ପ୍ରୀତି!!!







Rate this content
Log in

Similar oriya poem from Abstract