ଚଇତ ପରବେ ଦୁଲୁକେ ମୟୂରଭଞ୍ଜ
ଚଇତ ପରବେ ଦୁଲୁକେ ମୟୂରଭଞ୍ଜ
ଋତୁରାଜ ବସନ୍ତର ବିଦାୟ ଲଗନେ
ଚୋରା ଚଇତିର ଅବକାଶେ ହୁଏ ଶେଷ
ଆସେ ପୂଣ୍ୟ ପବିତ୍ର ବୈଶାଖ ମାସ
ନେଇ ବିଷୁବ ସଂକ୍ରାନ୍ତିର ମଧୁ ସନ୍ଦେଶ।
ଓଡ଼ିଆ ନବବର୍ଷର ଶୁଭ ଆଗମନେ
ଭାଇଚାରା ଦିଏ ଅଶେଷ ଶୁଭେଚ୍ଛା
ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନେ।
ଘର ଅଗଣାରେ ମନ ହସେ ଖିଲିଖିଲି
ମଧୁର ଓଠରେ ଫୁଟାଇ ମଲ୍ଲୀ
ଆନନ୍ଦରେ ଗ୍ରୀଷମ ତାତି ଯାଏ ଭୁଲି।
"ଚୈତ୍ର ପର୍ବ" ପାଳେ ଜାକଜମକେ
ବଣ ପାହାଡ଼ ବିଲ ନଦୀ ଘେରା
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା।
ଐତିହ୍ୟ ପୂର୍ଣ୍ଣ କଳାର ମାଟି ମୟୂରଭଞ୍ଜ
‘ଛଉ' ନୃତ୍ୟ ବାଜାରେ ଦୁଲୁକେ
ପୁର ପଲ୍ଲୀରୁ ସହର ବଜାର ଯାକେ।
ବାଜେ ବାଜା ଢ଼ୋଲ ନାଗରା
ଧୂମୁସା,ମହୁରୀ,ବଂଶୀ,ଶାହାନାଇ
ସୁମଧୁର ସ୍ଵର ତା'ର ମନକୁ ଯାଏ ଛୁଇଁ
ରଙ୍ଗୀନ ଆଲୋକମାଳାର ଖୋଲା ମଞ୍ଚେ
ହୃଦୟସ୍ପର୍ଶୀ ମୁଗ୍ଧକର ନୃତ୍ୟ ସଂରଚେ।
ଉଚ୍ଚ ବାଜାର ଛନ୍ଦ ତାଳେ ତାଳେ
ଆବାଳବୃଦ୍ଧ ବନିତା ସକଳେ
ସ୍ତବ୍ଧ ହୁଅନ୍ତି ଭାବ ବିହ୍ବଳେ
ନାଚନ୍ତି କିଶୋର କିଶୋରୀ ନଟ ନଟୀ
ଚକିତ କରି ଗଗନ ପବନ ମାଟି
ପଲ୍ଲବିତ ଗଛଲତା ଡାଳେ ଡାଳେ।
ଚମ୍ପା,ଚାମେଲୀ, ମାଳତୀ,ତରାଟ ଫୁଲ
ବାସ ଚହଟାଇ ଉଠନ୍ତି ଫୁଟି
ସୁଷମା ନିରେଖି ନୟନ ଯାଏନା ହଟି।
ଚଇତ ପରବେ ଦୁଲୁକେ ମୟୂରଭଞ୍ଜ
ସାରା ଦୁନିଆଟା ଲାଗେ ରଙ୍ଗମଞ୍ଚ
ଉତ୍ସବ ମୁଖର ହୁଏ ସକାଳୁ ସଞ୍ଜ।
ନୃତ୍ୟର ଲୟେ ପାଞ୍ଚ ମନ ହୁଏ ଏକ
ଜାତୀୟ ଏକତା ଯଶ ମାନର ରଖେ ଟେକ।
ଓଡ଼ିଶା ପ୍ରଦେଶର ପୂଣ୍ୟ ଭଞ୍ଜଭୂମି
ଛଉ ନୃତ୍ୟରେ ବିଶ୍ଵ ପ୍ରସିଦ୍ଧ
ଜନକ ହୋଇ ଲୋକକଳାକୁ କରିଛି ସମୃଦ୍ଧ।
ଉତ୍କଳର ଉତ୍କର୍ଷ କଳା ସଂସ୍କୃତି ନିଆରା
ବଞ୍ଚାଇ ରଖିଛି ତା'ର ସ୍ଵାଭିମାନ ପରମ୍ପରା
ଚଇତ ପରବେ ଦୁଲୁକେ ମୟୂରଭଞ୍ଜ ସାରା।
