ଚିକିତ୍ସା ବିଜ୍ଞାନୀ
ଚିକିତ୍ସା ବିଜ୍ଞାନୀ
ପ୍ରାଣୀ ବିଜ୍ଞାନର ଅଧ୍ୟୟନେ ଯଦି
ପ୍ରସ୍ତୁତିରେ ଯତ୍ନ ନେବା
ଡାକ୍ତରୀ ପରୀକ୍ଷା ପ୍ରତିଯୋଗିତାରେ
ହୁଏତ ଉତ୍ତୀର୍ଣ୍ଣ ହେବା ।
ବାସ୍ତବରେ ଯଦି କରିବାର ଥାଏ
ପର ଉପକାରେ ସେବା
କଷ୍ଟସାଧ୍ୟ ବୋଲି ମନକୁ ନିବେଶି
ଅଧିକ ଗୁରୁତ୍ଵ ଦେବା ।
ସ୍ବାସ୍ଥ୍ୟ ସମସ୍ୟାର ବିଭକ୍ତିକରଣେ
ପ୍ରାସଙ୍ଗିକ ପ୍ରତିକାରେ
ନିର୍ଦ୍ଧାରିତ ଅଛି ବିଭିନ୍ନ ବିଭାଗ
ଯୋଗ୍ୟତାର ଅନୁସାରେ ।
ଅଧ୍ୟୟନ ପରେ ଦକ୍ଷତାର ସହ
ବିଶ୍ବେ କରି ଗବେଷଣା
ଆମରି ଦେଶର ଚିକିତ୍ସାବିଜ୍ଞାନୀ
ସର୍ବୋତ୍ତମ ଭାବେ ଗଣା ।
ପ୍ରତିକାର ସହ ପ୍ରତିଷେଧ ପାଇଁ
ଔଷଧ ନିର୍ମାଣ ଲାଗି
ଗବେଷଣାଗାରେ ପରୀକ୍ଷା କରନ୍ତି
ଦୀର୍ଘକାଳ ଯାଏଁ ଜାଗି ।
ରୋଗରେ ପୀଡିତ ଲୋକଙ୍କର ପାଇଁ
ନଥାଏ ବିକାର ଘୃଣା
ସମାଜ ନିମନ୍ତେ ଦାୟିତ୍ୱ ନିର୍ବାହେ
କରି ନଥାନ୍ତି ବି ଊଣା ।
ଜୀବନ୍ତ ଯନ୍ତ୍ରର ମରାମତି କାର୍ଯ୍ୟ
ସହଜ ନୁହଁଇ ଏତେ
ଶୁଝି ପାରିବାନି ଅବଦାନ ତାଙ୍କ
ପ୍ରଶଂସା କଲେ ବି ଯେତେ ।
