ଛଳନାର ମାୟା
ଛଳନାର ମାୟା
ମଧୁର ଭାଷାରେ କଥା କହି କେତେ
ମୋ ମନକୁ ମୋହିଦେଲ,
ଭଲ ପାଇବାର ଅଙ୍ଗୀକାର କରି
ପ୍ରୀତି ଫୁଲେ ସଜାଇଲ |
ଆକାଶର ଜହ୍ନ ଆଣିଦେବ ବୋଲି
ଦିନେ ମୋତେ କହିଥିଲ,
ଆଗାମୀ ଦିନର ପ୍ରୀତିର ସଉଧ
ମନେ ମୋର ଗଢ଼ିଦେଲ |
ମୋ ଠାରୁ ସୁନ୍ଦରୀ ଦୁନିଆରେ କେବେ
ଦେଖିନାହଁ ବୋଲି କୁହ,
ତୁମ ପ୍ରଂଶସାରେ ଉଲ୍ଲସିତ ହୁଏ
ସରଳ ମୁଗ୍ଧ ହୃଦୟ |
ତୁମରି ହସରୁ ମଧୁ ଝରି ପଡେ
ଲାଗେ ଅନ୍ତରଙ୍ଗ ପରି,
ତୁମ ଆଖିରେ ଯେ କାମନାର ନିଆଁ
ଦେଖି ଲାଜେ ଯାଏ ସରି |
ତୁମରି ଛାତିରେ ମଥା ରଖି ଯେବେ
ତୁମରି ସ୍ପନ୍ଦନ ଶୁଣେ,
ଦେହେ ଭରିଯାଏ ମିଳନ କାମନା
ଅସୁମାରୀ ପ୍ରୀତି ମନେ |
ହଜି ଯାଇଥିଲି ତୁମରି ପ୍ରେମରେ
ବାସ୍ତବ ସଂସାର ଭୁଲି,
ନାରୀ ମନ ତଳେ ସମସ୍ତ ସଞ୍ଚିତ
ସମ୍ପତ୍ତିକୁ ଦେଇଦେଲି |
ଵୁଝି ମୁଁ ନଥିଲି ସେତେବେଳେ ତୁମେ
ନଥିଲ ନାୟକ ବୋଲି,
ଖଳ ନାୟକର ଛଳନାରେ ମୋତେ
ପ୍ରେମ କରୁଥିଲ ଖାଲି |
ଦେଖିଲି ଯେବେ ମୁଁ ରଖିଛ ସମ୍ପର୍କ
ଅନେକ ଝିଅଙ୍କ ସାଥେ,
ଵୁଝି ମୁଁ ପାରିଲି ତୁମରି ଛଳନା
ମରୁଛି ମୁଁ ଅନୁତପ୍ତେ |
ପବିତ୍ର ମନର ପ୍ରେମରେ ତୁମେ ତ
କଳଙ୍କର ଦାଗ ଦେଲ,
ସ୍ବେଚ୍ଛାଚାରିତାର ଶ୍ରେଷ୍ଠ ଉପହାର
ମୋ ହାତରେ ତୋଳିଦେଲ |

