ଛେନାପୋଡ଼ ଦିବସ
ଛେନାପୋଡ଼ ଦିବସ
ଉତ୍କଳ ଆରାଧ୍ୟ ପ୍ରଭୁ ଜଗନ୍ନାଥ
ବଡ଼ଠାକୁର ସେ ଜଗତେ ବିଦିତ l
ଜଗତ ଦେଖନ୍ତି ବଡ଼ ଚକାଆଖି
ଭଗତ ମାନଙ୍କୁ ରହନ୍ତି ନିରେଖି l
ନିବାସ ତାଙ୍କର ବଡ଼ ଦେଉଳରେ
ବଡ଼ପଣ୍ଡା ତାଙ୍କ ଅଛନ୍ତି ସେବାରେ l
ବଡ଼ନେତ ତାଙ୍କ ନୀଳଚକ୍ରେ ଉଡ଼େ
ବଡ଼ଦାଣ୍ଡେ ରଥ ଘିରି ଘିରି ଗଡ଼େ l
ରତ୍ନାକର ଜେମା ବଡ଼ ଠାକୁରାଣୀ
ଦେବୀ ପଦ୍ମାଳୟା ତାଙ୍କର ଘରଣୀ l
ଜଗତେ ବିଖ୍ୟାତ ଭାରି ବଡ଼ଖିଆ
ଷାଠିଏ ପଉଟି ଭୋଗ ତା'ର ଥୁଆ l
ଉତ୍କର୍ଷ କଳାର ଦେଶ ତା' ଉତ୍କଳ
ମହୋଦଧି ତା'ର ଆନନ୍ଦେ ଉଦ୍ବେଳ l
ସବୁ ଅଟେ ତା'ର ଓଡ଼ିଶାରେ ବଡ଼
ବଡ଼ ଅଟେ ପୁଣି ଆମ ଛେନାପୋଡ଼ l
ଛେନାପୋଡ଼ ସ୍ୱାଦ ପାଇଛି ଯେ ଥରେ
ଭୁଲିବ ନାହିଁ ସେ କେବେ ଜୀବନରେ l
ମସଲା ତୈଳ ହୀନ ମିଠା ସେହି
ମିଷ୍ଟ ପଣେ ତା'ର ଆନ କେହି ନାହିଁ l
ଦିନେ ଦୁଇ ଦିନ ତାଜା ରହିଥାଏ
ବ୍ୟୋମଯାନ ଚଢ଼ି ବିଦେଶକୁ ଯାଏ l
ମିଠା ଗୋଟି ଖାଣ୍ଟି ଓଡ଼ିଆ ସର୍ବସ୍ବ
ହର୍ଷେ ପାଳ ଛେନାପୋଡ଼ର ଦିବସ l
