କବିତା - ବୟସର କୃଷ୍ଣଚୂଡ଼ା
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୦୫-୨୦୨୫
ମନରେ ଭାବନା ଆସେ
ଥରକୁ ଥର
କାହିଁକି କେଜାଣି କିପାଇଁ
ବାରକୁ ବାର
ଛୁଟି ଦିନରେ ବୟସଟା
ବଦଳୁ ଥାଏ
ବଢୁଥାଏ ବି ଛିଡ଼ୁଥାଏ
ପୂର୍ଣ୍ଣିମା ଅମାବସ୍ୟା ମଧ୍ୟେ ଯେମିତି
ଅଂଶୁମାଳି କଳେବର ଦିଶୁଥାଏ
ଆଇନା ଆଗରେ ଛିଡ଼ାହେଲେ
କେବେ କମିଯାଏ କେବେ ଜମି ଯାଏ
ବୟସର ସାପ ସିଡି ଖେଳ
ବୁଝି ପାରେନାହିଁ ଆଜି ଯାଏଁ
ଏମିତି କେମିତିକା ବୟସ ଗଣିତ
ଆଜି ପ୍ରର୍ଯ୍ୟନ୍ତ
ଅସମାହିତ ଗୋଲକଧନ୍ଦା ପରିକା
ଝୁଲି ପଡିଛି
ନା ମତିଭ୍ରମର ପରିପ୍ରକାଶ
ନା ଯାବତୀୟ ଜଞ୍ଜାଳର ରୁଦ୍ରବିକାଶ
ଅବୁଝା ଅସୁଝା ରହିଛି ଯେ ରହିଛି
ଯେମିତି ସକାଳୁ ସକାଳୁ
ବିଛଣାରୁ ଉଠିବା ପୂର୍ବରୁ
ପାଶ ଲେଉଟିବା ବେଳେ
ଏପଟ ସେପଟ ଘୋଡି ମୋଡି ଶୋଇବା ବେଳେ
ଠକ୍ ଠାକ୍ ଶବ୍ଦ ହେଲା
ମନରେ ଆପେ ଆପେ ଉତ୍ତର ଆସେ
ଷାଠିଏ ସତୁରି ହେଲାଣି ବୟସ
ହାଡ଼ କହୁଛି ଧିରେ କଡ଼ ଲେଉଟେଇବ ଆସ
ମୋଜା ଜୋତା ପିନ୍ଧି ପଡିଲି ବାହାରି
ରସିଲଗା ବାଡ଼ି ଧରି ସକାଳୁ ବୁଲିବା ଜାରି
କାନ୍ଥରେ କଣ୍ଟାମରା ଆଇନାରେ ନିଜକୁ ଭେଟିଲି
ଲାଗୁଥିଲା ଚାଲିସ ପଚାଷ ମଝିରେ ବୟସ
ରହିଛି ହଲି ଦୋହଲି
ଦାଢୀ ଛର ହେଲି ସେଦିନ
ଛୋଟ କଇଁଚିରେ ନିଶକୁ ସାଇଜ କଲି
ନାକ ଭିତର ରୋଗା ବାଳକୁ କାଟିଲି
ସାବୁନ ସ୍ୟାମ୍ପୁ ଲଗେଇ ଗାଧୋଇଲି
ପୁଣି ଘର ମରା ନଡ଼ିଆ ତେଲ ଦେହ ସରା ଘଷିଲି
ମୁଣ୍ଡ କୁଣ୍ଡୁ କୁଣ୍ଡୁ ଆଇନାକୁ ବାରମ୍ଵାର ପଚାରୁଥିଲି
ଦୈନିକ ଦେହର ଯତ୍ନ ନେଲେ
ପଚିଶ ତିରିଶ ବର୍ଷର ଗଜା ଭେଣ୍ଡିଆ ଟୋକା ପରି ଦିଶନ୍ତି
ରୂପ ରଙ୍ଗରେ ନହୁଲି ମହୁଲି ଗାଉଁଲି
ଗରମ ଭାତ ମୁଗଡ଼ାଲି ପେଟେ ଖାଇଲି
ଚେକା ମାଛ ଝୋଳ ହାପୁରୁ ହାପୁରୁ ଦୋହରା ଭାତ ବି ଗେଁଫିଲି
ଢାଳେ ପାଣି ଢ଼କଢ଼କ ପିଇଲି
ମୁଁହ ହାତ ଧୋଇ ବିଛଣା ଶୁଙ୍ଘିଲି
ଖରାବେଳିଆ ଦୁଇ ଘଣ୍ଟା ଘୁଙ୍ଗୁଡି ମରା ବିଶ୍ରାମ ପରେ
ମୁଁହ ଧୋଇଲା ପରେ
ଆଇନା ମୋତେ ମୁରୁକି ପଚାରୁ ଥିଲା
ବୟସ ଅଟକି ଯାଇଛି ଦେହରେ
ଯେପରି ରଙ୍ଗମଞ୍ଚରେ ପାଠ୍ କରିବ ଯୋସରେ
ସଞ୍ଜରେ ସାଙ୍ଗମେଳ
ଚା ଜଳଖିଆ ସହିତ ଅଳପ ସଳପ ଗଳପ
ହସ କୌତୁକ ସହିତ ଗୁଲି ଚୁଗୁଲି ସ୍ଵଳ୍ପ
ସମସ୍ତେ ଗଲା ପରେ
ବୈଠକଖାନାରୁ ଉଠୁ ଉଠୁ ଦେଖିଲି ଦର୍ପଣ
ଝଲକୁ ଥିଲା ବୟସ
ଝଟକୁ ଥିଲା ବୟସ
ତର୍ପଣ ଅର୍ପଣ ପରେ ପରେ ସମ୍ପୁର୍ଣ୍ଣ ସମର୍ପଣ
ମନେ ମନେ ପଦିଏ ଶୁଭିଗଲା
ଖୋକା ଭାଇଙ୍କର କାଳଜୟୀ ରଚନା
ଗୁଣୁଗୁଣୁ ସ୍ୱରରେ ପେରୋଡି କରିଦେଲି
ବୟସର କୃଷ୍ଣଚୂଡ଼ା ହସ ତୁମ ମନ୍ଦ ନୁହଁ
ଶୋଇବାର ଅବସର ଖୁସି ତୁମ ମନ୍ଦ ନୁହଁ
ବିଶ୍ରାମ ହିଁ ବୟସ ବାନ୍ଧିବା
ଅବିଶ୍ରାମ ହିଁ ବୟସ ବଢିବା
ସାଙ୍ଗମେଳି ହସକେଳି ଶାନ୍ତି ତୁମ ମନ୍ଦ ନୁହଁ