ବୟସର ଆୟୁଷ
ବୟସର ଆୟୁଷ
ବୟସ ବଢଇ ଆୟୁଷ କମଇ
ଏଇତ ଜୀବନ ଖେଳ
ଧୂଳି ଖେଳୁ ରାସ୍ତା ଲମ୍ବି ଲମ୍ବି ଯାଇ
ଆୟୁଷରେ ହୁଏ ଶେଷ ।
ବୟସର ରଙ୍ଗେ ରଙ୍ଗାୟିତ ହୁଏ
ଜୀବନର ଚଲାପଥ
କେବେ ପଥଧାରେ ସବୁଜ ଗାଲିଚା
କେବେ ମରୁ ବାଲି ଝଡ ।
ବୟସର ଡାଳେ ଟିକି ଚଢେଇଟି
କଚିରି ମିଚିରି ହୁଏ
ଜାଣି ସେ ନଥାଏ ଆୟୁଷ ଠିକଣା
ମନ ଉଲ୍ଲାସରେ ଭାସେ ।
ତା ଛୋଟ ଡେଣାରେ ଲେଖା ଥାଏ କେତେ
ଆତ୍ମସନ୍ତୋଷର ଗୀତ
ଆୟୁଷ ନ ଜାଣି ବୟସକୁ ସିଏ
କରି ଦିଏ ପ୍ରାଣବନ୍ତ ।
ବୟସ ଆସଇ ଫୁଲ ଗଛ ଡାଳେ
ପ୍ରୀତିର ଝରଣା ନେଇ
ଆୟୁଷର କଥା ନ ଭାବଇ ଫୁଲ
ମହକ ବାଣ୍ଟୁ ଯେ ଥାଇ ।
ଫୁଲର ମହକ ତାର ପରିଚୟ
ଧରାରେ ସ୍ଥାପିତ କରେ
କ୍ଷଣିକ ଜୀବନ ସେବା ଅନୁପମ
ପ୍ରଭୁଙ୍କ ସାନ୍ନିଧ୍ୟ ଲଭେ ।
ବୟସ ଆୟୁଷ ଚିରସ୍ଥାୟୀ ନୁହେଁ
ଶରୀର ନୁହଁଇ ସ୍ଥାୟୀ
ଶରୀର ସୌନ୍ଦର୍ଯ୍ୟ ଅସ୍ଥାୟୀ ଅଟଇ
ସଂସାର ନୁହଁଇ ସ୍ଥାୟୀ ।
ସ୍ଥାୟୀ ରହେ ନାହିଁ କେଉଁ ପରିସ୍ଥିତି
ସ୍ଥାୟୀ ନୁହଁଇ ସମ୍ପତ୍ତି
ସ୍ଥାୟୀ କିଛି ନାହିଁ ଏଇ ଧରା ବକ୍ଷେ
କର୍ମ ହିଁ ଅଟଇ ସ୍ଥାୟୀ ।
ବୟସ ଆୟୁଷ କେବେ ସରିଯିବ
ଏ କଥା କାହାକୁ ଜଣା
ଆଜି ଦିନଟିକୁ ସୁନ୍ଦର କରିଲେ
ଜୀବନ ହୋଇବ ସୁନା ।
ବୟସ ବଢିବ ଆୟୁଷ ସରିବ
କର୍ମ ବଂଚି ରହିଥିବ
ସୁକର୍ମରେ ନର ବଞ୍ଚି ଚିରକାଳ
ଆଦର୍ଶର ବାର୍ତ୍ତା ଦେବ ।
ମଣିଷ ଜନମ ଅମୂଲ୍ୟ ଅଟଇ
ସ୍ୱତନ୍ତ୍ର ଅନ୍ୟ ଜୀବ ଠୁ
ବିଚାର ବିବେକେ ସ୍ଵତନ୍ତ୍ର ଯେ ନର
ସ୍ଵତନ୍ତ୍ରତା ଜାରି ରହୁ ।
ଗୀତା ଗାଏ ଆମ ଜୀବନର ତତ୍ତ୍ଵ
ସେ ତତ୍ତ୍ୱକୁ ବୁଝି ନେବା
ସବୁ ସମସ୍ୟାର ସମାଧାନ ରାସ୍ତା
ଏଇଠି ଆମେ ପାଇବା ।
ବୟସ ବଢିବ ଆୟୁଷ ସରିବ
ଦେହ ମାଟିରେ ମିଶିବ
କର୍ମ କର୍ତ୍ତବ୍ୟର ପାଣ୍ଡୁଲିପି ନେଇ
ଆୟୁଷ ଅମର ହେବ ।