ଅମୃତ ପଥ
ଅମୃତ ପଥ
ରେ !! ଶ୍ରାନ୍ତ ପଥିକ
ଉଦଭ୍ରାନ୍ତ ତୋ ମତି
ପ୍ରପୀଡିତ ତୁହି ତ୍ରିତାପ ଜ୍ୱାଳାରେ
ହେଉ ଥାଉ ଖାଲି ହନ୍ତସନ୍ତ
ଧାଉଁ ଅଛୁ କେଉଁ କାଳୁ ମରୁ ସମୁଦ୍ରେ
ଟୋପାଏ ଶୀତଳ ଅମୃତ ପାନ ପାଇଁ
ସୁନାର ମୃଗୁଣୀ ମୋହରେ ଅନ୍ଧ
ଦେଖି ନାହୁଁ କେବେ ନିଜ ଅନ୍ତର
ପ୍ରତି ମୁହୂର୍ତ୍ତରେ କ୍ଷରିତ ଅମୃତ
ଜଠର ଅଗ୍ନିରେ ହୁଏ ଭସ୍ମୀଭୂତ
ଶରଣେ ଯାହାର ମଳୟ ଚନ୍ଦନ ବହେ
ଖୋଜି ନାହୁଁ ସେ ଚରଣ କେବେ
ଶିକ୍ଷାର ଅଭିମାନେ ହୋଇ ମତ୍ତ
ଦୀକ୍ଷାର ପଥ ଗଲୁ ହୁଡି
ଯିଏ ଥିଲେ ତୋ'ର ଅମୃତପଥ ପ୍ରଦର୍ଶକ
ଲଗାଇ ଦେଲୁ ପ୍ରଶ୍ନବାଚୀ କହି କାପୁରୁଷ ଲମ୍ପଟ
ପାପର ପେଡିକୁ ନିଜ କାନ୍ଧେ ବୋହି
ଚାଲିଚାଲି ଦିନେ ହେଇ ଯିବୁ ନିରୁର୍ଦ୍ଦିଷ୍ଟ
ଏବେ ବି ସମୟ ଅଛିରେ ମନୁଆ
ଛାଡ଼ି ଦେ ସେଇ ମରୀଚିକା ପଥ
କାଳର ଅନ୍ଧଗଳିରେ ହଜିବା ଆଗରୁ
ଉତ୍ତର ପିଢ଼ି ପାଇଁ ଛାଡି ଯା କିଛି ପଦଚିହ୍ନ