ସୃଷ୍ଟି
ସୃଷ୍ଟି
ଏ ସୃଷ୍ଟି ହେଉଛି ଈଶ୍ୱରଙ୍କର ଏକ ଅନିନ୍ଦ୍ୟ ଅବଦାନ
ଜୀବ-ଜନ୍ତୁ କୀଟ-ପତଙ୍ଗ ବୃକ୍ଷ-ତରୁ-ଲତାର ସ୍ୱୀୟ ପରିବେଷ୍ଟନୀରେ ଆଚ୍ଛାଦିତ
ଏଇ ଅନିନ୍ଦ୍ୟ ପୃଥିବୀ
କେତେ ନଦ ନଦୀ ସାଗର ଜଳଧିର ବର୍ଣ୍ଣାଢ୍ୟ ସଂଯୋଜନାରେ
ଏ ପ୍ରକୃତି ତା'ର ସୌନ୍ଦର୍ଯ୍ୟର ରୂପ ଚାତୁରୀରେ ସ୍ୱୟଂ ଅଭିନନ୍ଦିତ ହୋଇ ଉଠିଛି
ସବୁଜ ବନାନୀର ନିଃଶବ୍ଦ ସଙ୍ଗୀତର ତାଳେ ତାଳେ ପାହାଡ଼
ଏଠି ଆକର୍ଷଣର ଅଭିସାରିକାରେ
ଝରଣାର ଗନ୍ତବ୍ୟ ପଥକୁ ଉନ୍ମୁକ୍ତ କରି ତୋଳିଛି
ପକ୍ଷୀଟିଏ ମୁକ୍ତ ଆକାଶର ବକ୍ଷ ଚିରି କେଉଁ ଏକ ଦୂର ଦିଗ୍ ବଳୟକୁ ଉଡିଯାଉଛି
ଅନ୍ତଃସ୍ୱରର ତାଳେ ତାଳେ ଖୁସିରେ ଆତ୍ମହରା ହୋଇ
ବୋଧହୁଏ
ଏଇ ସୃଷ୍ଟିର ସ୍ରଷ୍ଟାଙ୍କୁ ସେ ତାର ସାମର୍ଥ୍
ୟ ମତେ
କୃତଜ୍ଞତା ଜଣାଉଛି ବାସ୍ତବରେ
ଏ ସୃଷ୍ଟି ଯେତିକି ବିସ୍ମୟ ସେତିକି ବର୍ଣ୍ଣନାତୀତ ମଧ୍ୟ
ଜୀବନ ଯାତ୍ରାର ଏକ ବିସ୍ତୃତ ପୃଥିବୀ
ପରିବର୍ତ୍ତନର ବିବର୍ତ୍ତନ ବାଦରେ
ଋତୁ ଚକ୍ରର ବୃତ୍ତ ପରିଧିରେ
ଏ ସୃଷ୍ଟି ତାର ସ୍ୱରୂପକୁ ବଦଳେଇ ଚାଲିଛି ସମୟର ମାଇଲିଖୁଣ୍ଟକୁ ଅତିକ୍ରମ କରି l
ସୁନାର କ୍ଷେତ ଦୂର ପାହାଡ଼ ଝରଣାର କୁଳୁକୁଳୁ ନାଦ
ରାତ୍ରିର କିଟିମିଟି ଅନ୍ଧକାରରେ
ମେହେନତି ମଣିଷର ଝାଟିମାଟି ଘରେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଡ଼ିବିରି ଆଲୁଅ
କେଉଁ ଏକ ନିଘଞ୍ଚ ବନାନୀରେ ଲେଖିଚାଲେ ଏ ସୃଷ୍ଟିର ଇତିହାସ
ଆଉ ଖୋଜିଚାଲେ ତା'ର ସେଇ ଆଦିମ ପ୍ରକୃତିକୁ
ଜୀବନ ଜୀବିକାର ଏଇ ପ୍ରକୃତି କୋଳରେ l