ବଉଳି ମୋ
ବଉଳି ମୋ
(ରମ୍ୟ ରଚନା)
ବଉଳୀଲୋ ପ୍ରେମପାଗଳୀଲୋ ସତେ
ଆହା ମୋ ଗରମ ଯାଉ
ତୁହି ମୋର ଟିଭି ମୁଁ ଭଙ୍ଗା ଆଣ୍ଟିନା
ଚେନେଲ ଧରୁନି ଆଉ।
ମନେ ପଡିଗଲେ ସେ ଖରାବେଳର
ପ୍ରଥମ ପୀରତି କଥା
ଭୁଲି କି ପାରୁଛି ଆଜି ଯାଏଁ ଯାହା
ହୃଦେ ପାଏ ମାତ୍ର ବ୍ୟଥା।
ମାଛ ସହ ଭୁଆଁ ବିରାଡ଼ି ସମ୍ପର୍କ
ତୋର ମୋର ସେହି ଭାବ
ପେଟ୍ରୋଲ ବିନା କି ଗାଡି ଦଉଡିବ
ଆହା ମୋ ପାଚିଲା ଆମ୍ବ।
ତୁ ମୋ ସିଲଟ ମୁଁ ଫୁଲୁଖଡି
ପ୍ରେମ ଆମ ବର୍ଣ୍ଣବୋଧ
ତୁ ମୋ ବଉଳୀ ପଶୁ ଡାକ୍ତରାଣୀ
ମୁଁ ରୁମଛଲା ଗଧ।
ନୂଆ ଫଗୁଣର ଆମ୍ବ ଡାଳିଆରେ
ତୁ ମୋ ପେନ୍ଥା ବଉଳ
ତୁ ଯଦି ହେଉ ହୁଳହୁଳି ଆଉ
ମୁଁ ତୋର ହରିବୋଲ।
ମୁଁ କିରଣଛଡା ମୃଦଙ୍ଗ ବଉଳୀ
ତୁ ମୋ କୁବୁଜି ଗିନି
ନିରୋଳା ବେଳାକୁ ଦେଖିକି ଆସିବୁ
ନାଚିବାଲୋ ଧିନାଧିନି।
ଶୀତୁଆ ଜାଡର ବିଲକମଳ ତୁ
ମୁଁ ତୋ ଥରୁଆ ଦିହ
ଭଙ୍ଗା ଚାଳଘରେ ତୁ ମୋ ଅଗଣା
ମୁଁ ତୋ ବାଉଁଶ ରୁଅ।
ମୁଁ ପରା ଲାଜ ତୁ ମୋର ଚଡ଼ି
କାହିଁକି ଯାଉ ତୁ ଚିଡ଼ି
ତୋ ପାଇଁ ମୁଁ ତାଳଗଛ ଚଢିଯିବି
ନ ଥାଉ ପଛକେ ସିଡ଼ି।
ତୋ ମୋ ସମ୍ପର୍କ ବରାଘୁଗୁନିର
ପ୍ରେମ ଆମ ଦହିବରା
ବହଳ ଡାଲମା ତୁଉ ମୋ ବଉଳୀ
ମୁଁ ତୋ ଅରୁଆ ପରା।
ତୁ ତ ମୋହର କଅଁଳ କାକୁଡି
ମୁଁ ତୋର ଗୋଡା ଲୁଣ
ପିରତୀ ଆମର ସଜନା ଛୁଇଁ ଲୋ
ସେ କଉ ମାଛ ତିଅଣ।
ଡହକ ତାତିର କୋଲ୍ଡ୍ରିଙ୍କ୍ ତୁହି
ମୁଁ କାଚ ବୋତଲ ତୋର
ପିଇ ଫିଙ୍ଗିଦେଲୁ ଆଲୋମୋ ବଉଳୀ
ହୋଇଗଲି ଚୂର୍ମାର।
ମୁଁ ତୋର ଫାଳେ ପିଆଜଟି ହେଲେ
ତୁ ମୋର ଚନାଚୂରୁ
ଦେଶୀ ଚାଉଳର ଗରମ ମୁଢ଼ି ତୁ
ମୁଁ ଫାଳେ ନଡିଆରୁ।
ମୁଁ ତୋ ଫେୟାର ଲଭ୍ଲି ବଉଳୀ
ତୁ ମୋ ଚିକିଣି ଗାଲ
ତୋ ଗୋରା ଦେହ ଗାଧୁଆ ତୁଠର
ମୁଁ ଯେ ନଡ଼ିଆ ତେଲ।
ନଈ ସେପାରୀର କନକ ଗୋରୀ ତୁ
ମୁଁ ତୋର ଖୋକାଭାଇ
ଆ'ଲୋ ବଉଳୀ ଏ ମହାନଦୀରେ
ନଉକା ଦେବା ଭସେଇ।
ତୁ ମୋ ସପନ ମୁଁ ତୋର ଆଖି
ପ୍ରେମ ନିଶବଦ ରାତି
ମୁଁ ତୋର ଆଖି ତୁ ମୋର ନିଦ
ନିଝୁମ ରାତିର ସାଥି।
ତୋର,ମୋର ଭାବ ଯେତେ ଆଉ ଅଛି
କହିଲେ ହୋଇବ ପୋଥି
ବାହା ବେଳେ ବର ହାତ ନଡ଼ିଆ ତୁ
ମୁଁ ସେଇ ଗୁଆକାତି।
ତୋର ମୋର ଏହି ସମ୍ପର୍କ ଭିତରେ
ଲୁଚିଅଛି ଆମ ପ୍ରେମ
କେମିତି ଏ ସବୁ ଭୁଲିକି ବଉଳୀ
ଆନେ ବଳଉଛୁ ମନ।
ପ୍ରେମ ନୁହେଁ ପିଲାଖେଳ ତୁ ଜାଣିଥା
ପ୍ରେମଟି ପବିତ୍ର ନଈ
ଏ ସଂସାର ଦୁଃଖ କଷ୍ଟ ଯାତନାକୁ
ନିଏ ତା' ସୁଏ ଭସେଇ।