ବୁଢ଼ା କାଳ ପିଲା
ବୁଢ଼ା କାଳ ପିଲା
ଝାଟିମାଟି ର ଘରୁ ବାହାରି
ସାହି ଭିତରେ ଚାଲୁଚାଲୁ
କିଛି କମେଣ୍ଟ୍ ଶୁଭୁଥିଲା
ଏ ବୁଢ଼ା କାଳ ପିଲା, ବୁଢା କାଳ ପିଲା
ସତ ବି ଥିଲା, ବୁଢ଼ା କାଳେ ପିଲା
ବୁଢ଼ା ବୟସରେ ବାପାର ପିଲା
ସଂକ୍ଷେପରେ, ବୁଢ଼ା କାଳ ପିଲା
ବାପା, ବୁଢା ହେଲେ ବି କର୍ମଠ
ଅଣ୍ଟା ନଇଁ ଚାଲୁଥିଲେ ସତ
ସବୁ କାମ ରେ ନିପୁଣତା
କୌଳିକ ବୃତ୍ତି ଠିକ୍ କରି ପାରୁ ଥିଲେ
ହେଲେ, ମନ୍ଥର ଗତିରେ
ବାପା ଥିଲେ ଧର୍ମ ଭୀରୁ
ଦେବତା ଓ ବ୍ରାହ୍ମଣ ପ୍ରତି ଭୟ
ବାର ମାସରେ ତେର ଉପବାସ
ବ୍ରାହ୍ମ ମୁହୂର୍ତ୍ତ ପୂର୍ବରୁ
ଶଯ୍ୟା ତ୍ୟାଗ,ପରେ ପରେ ପ୍ରଭାତ ବନ୍ଦନା
ନିତିଦିନିଆ ବାସ୍ତବତା
ପ୍ରାୟ ସାହି ପଡିଶାଙ୍କୁ ଭଲ ଭାବେ ଜଣା
ପାଖ ଲୋକଙ୍କ ସହିତ
କଥା କମ୍, ନିହାତି ଦରକାରି କଥା
ପୁରାଣ ପୋଥି ସହିତ ବେଶି କଥା
ଦାଣ୍ଡ ପିଣ୍ଢା ରେ ଅବା ଚଉରା ନିକଟେ
ଶୁଦ୍ଧ ଉଚ୍ଚାରଣ ସହ ପୁରାଣ ପଠନ
ଶୁଣିବା ଲୋକ ବି ଜାଣି ପାରୁଥିଲେ
କେଉଁ ବିଷୟ ର କଥା
ବୁଝିବା ନ ବୁଝିବା, ଶ୍ରୋତାଙ୍କ ବ୍ୟାପାର
ବାପାଙ୍କର ସମ ସାମୟିକ
ଖୁବ୍ ମାନୁ ଥିଲେ
ସଂଧ୍ୟା ହେଲେ ରୁଣ୍ଡ ହୁଅନ୍ତି
ପୁରାଣ ଶୁଣିବା ଓ ଭଜନ କୀର୍ତ୍ତନ
ଖଞ୍ଜଣି ମାଡ ସହିତ ଚିଲମ ରୁ ଧୁଆଁ
ଆସର ଜମେ ପ୍ରାୟ ପ୍ରତିଦିନ
ପ୍ରତି ମାସରେ ତ୍ରିନାଥ ମେଳା
ପୂର୍ଣ୍ଣମୀରେ ଉପବାସ ସହ
ଶିବାଳୟ ଯାତ୍ରା
ମାଘ ମାସରେ ପାଳିତ ଶନିଶ୍ଚର୍ ମେଳା
ସାଧୁ ସନ୍ଥ ପ୍ରୀତି ଓ ପରିବାର ପ୍ରେମ
ପବିତ୍ରତା ର ଧାରା ସହ
ବାପାଙ୍କ ର ଗୃହସ୍ତି ଜୀବନ
କାଳ କ୍ରମେ ବଦଳିଲା ଦୃଶ୍ୟ
ସବୁ ପୁରୁଣା କଥା ପଛରେ ରହିଲା
ନିଜକୁ ବଦଳାଇ ,ନୂଆ ରୂପରେ ବାପା
ବୁଝିଲେ, ଶୁଣିଲେ ଓ ଦେଖିଲେ
ଅଥଚ କିଛି କହିବାକୁ ନାପସନ୍ଦ
ନିରବ ଦର୍ଶକ ମାତ୍ର
ଶେଷ ପାହାଚରେ ବାପା
ପକ୍ବ କେଶ, ଶିଥିଳତା ଚର୍ମ
ଜରାଜୀର୍ଣ୍ଣ ଶରୀରରେ ଉଦାସିଆ ମୁଖ
ରାଗ ଅନୁରାଗ ନ ଥିଲେ ବି
ପିଲାଳିଆମି ଭାବ ଓ ଅଝଟ
ବେଳେବେଳେ ଗୁଣୁଗୁଣୁ, ମନେ ମନେ ହସ
ଭାବନା ଢେ଼ଉରେ ଅବା ଅତୀତ ସ୍ମୃତିରେ
ଆଖି ଆଗେ ନାଚୁଛି ସେ ଦୃଶ୍ୟ
ସମ ସାମୟିକ ବନ୍ଧୁ ଦେଖାହେଲେ
ଆନନ୍ଦାଶ୍ରୁ ଝରି ପଡ଼େ ନୟନ କୋଣରୁ
ପଚାରି ବୁଝନ୍ତି ବନ୍ଧୁଙ୍କ ଅବସ୍ଥା
ପିଲାପିଲି,ଭଲମନ୍ଦ କୁଶଳ ବାରତା
ଅତୀତ ର ହସ ଖୁସି କଥା
ସେ ପାରି ରୁ ଡାକରା ଆସିବା ଆଗରୁ
ବୋଧେ ଜାଣି ଯାଇଥିଲେ
ପରୋକ୍ଷରେ ଜଣାଇ ବି ଥିଲେ
ବିଦାୟ ବେଳରେ, ଏକତ୍ରିତ ପରିବାର ବର୍ଗ
ଭାଗବତ ଶୁଣେଇଲା ବୁଢ଼ା କାଳ ପିଲା
ନିର୍ମାଲ୍ୟ ମୁଖରେ ଥାଇ
ଚିରନିଦ୍ରାରେ ବୁଢା କାଳ ପିଲାର ବାପା
ଅବଶୋଷ ଅଧୁରା ରହିଲା
ବୁଢ଼ା ବାପାଙ୍କର ବି ସେଇ ଜଣାଶୁଣା ଦ୍ଵନ୍ଦ
ବୁଢ଼ା କାଳ ପିଲାର ପିଲା ହେଇନି
ହେଲେ କିଏ ଜାଣିଥିଲା
ବୁଢ଼ା ହେଲେ ହିଁ,ବୁଢା କାଳ ପିଲାର ପିଲା ହେବ
ତାହା ହିଁ ହେଲା,ପିଲା ହେଲା
ହେଲେ ବହୁତ ଡେରି ହୋଇଗଲା
ବୁଢ଼ା ବାପା ସେ ପାରି ରେ
ଏଠି ବୁଢ଼ା କାଳ ପିଲା ଓ ତା ' ପିଲା
ଆଉ ବୁଢ଼ା କାଳ ପିଲା ବି ଏବେ ବୁଢ଼ା
କିଏ କହୁ କି ନ କହୁ
ବୁଢ଼ା କାଳ ପିଲା ଜାଣିଛି
ତା' ପରି ତା' ପିଲା ବି ବୁଢା କାଳ ପିଲା ।।
