ବସ୍ତି ବାସିନ୍ଦା କି ଗାଈ ଗୋରୁ!
ବସ୍ତି ବାସିନ୍ଦା କି ଗାଈ ଗୋରୁ!
ଏ ଘୋର ସଙ୍କଟେ ଏ କି' କଲ,
ବସ୍ତି ଭାଙ୍ଗି କିସ ଯଶ ନେଲ;
ଥଇଥାନ ପାଇଁ କଟକଣା,
ଏଠି କାହିଁ ହୁଏ ବାଟବଣା?
ତାଲାବନ୍ଦୀ ବେଳେ ତଡି ଦେଇ,
କୋଭିଡ ନିୟମ ଭୁଲି ଯାଇ;
ଏକଇ କୁଟୀରେ ରଖି ତାରେ,
ଭୁଲିଲ କି, ସଂକ୍ରମଣ ବାରେ?
ବଢେ ନିତି ଯହିଁ ସଂକ୍ରମଣ,
ସେ'କାଳେ କିମ୍ପାଇଁ କଲ ମଣ;
କଟକ ନଗର ମହାପୁରୁ,
ବସ୍ତି ବାସିନ୍ଦା କି ଗାଈ ଗୋରୁ!
ଭୁଲିଗଲ ସାମାଜିକ ଦୂର,
କମିବ କି? ସଂକ୍ରମଣ ହାର;
ସବୁରି ପାଇଁ ଯେ ଏକ ନୀତି,
ତେବେ ଏଠି କାହିଁ ଭ୍ରମ ମତି?
ଆଜି ଯାଏଁ କାହିଁ ଥିଲ ବସି,
ତାଲାବନ୍ଦୀ କାଳେ ଏଠି ଆସି;
ଦେଲ ତାରେ କ୍ଳେଶ ଏ ସଙ୍କଟେ,
ଭାଳିଛ କି,ଏଠି କିସ ଘଟେ?
ମହାମାରୀ ସାଥେ ଗ୍ରୀଷ୍ମ ତାପ,
ତା'ସାଥେ ପ୍ରକୃତି କରେ କୋପ;
ଏମନ୍ତ ଯାତନା ବଢେ ଯହିଁ,
କେ' ହୋଇବ ସାହା କୁହ ସାଇଁ?
ନୀତି କହେ ଆଗେ ଥଇଥାନ,
ତା'ପରେ ଉଛେଦ ବସ୍ତି ଜାଣ;
ଏଠି ତେବେ କାହିଁ ବ୍ୟତିକ୍ରମ,
କହିବ କି? ଅଧିକାରୀ ଆମ।
ଏକ ପକ୍ଷେ ଛାଡି ଭିଟାମାଟି,
ଅସ୍ଥାୟୀ କୁଟୀରେ ରହି ଏଠି;
ମାନସିକ ସ୍ଥିତି ହେବ କିସ,
ବଢି ଯିବ ନିଶ୍ଚେ ତାର କ୍ଳେଶ।
ମଣିଷ ପଣିଆ ବାରେ ଭାଳି,
ନରେ ଦେଖ ତିଳେ ନର ଭଳି;
ପଶୁ ପକ୍ଷୀ ଯହିଁ ପାଏ ମାନ,
ମାନବ କିମ୍ପାଇଁ ଏତେ ହୀନ?
