ବର୍ଷା ଆସିଲେ ତମେ ମନେପଡ
ବର୍ଷା ଆସିଲେ ତମେ ମନେପଡ
ବସ୍ କୁ ଅପେକ୍ଷା କରି ରହିଥିଲି
ଘଣ୍ଟା କୁ ବାରବାର ଚାହୁଁ ଥିଲି
ବସ୍ ର ତ ଦେଖା ନ ଥିଲା
ହେଲେ, କଳାହାଣ୍ଡିଆ ମେଘଟା
କୋଉଠି ଥିଲା କେଜାଣି
ଗଦା ଗଦା ହେଇ ବରଷିଗଲା
ଫୁଲ ପାଖୁଡ଼ା ପରି
ଯେମିତି ତମେ ସେ କଲେଜର ଦିନ ଗୁଡାକରେ
ମୁଁ ଦେଇଥିବା ଗୋଲାପ କୁ
ଟିକି ଟିକି କରି ଉପରକୁ ଫିଙ୍ଗୁଥିଲ ହସି ହସି
ସତ କହିବି, ଏ ବର୍ଷା ଆସିଲେ
ଦେହ ଯେତିକି ନ ଭିଜେ
ମନ ସେତିକି ଭିଜେ ତୁମ ସ୍ମୃତି ରେ
ତମେ ଖୁବ୍ ମନେପଡ, ମନେପଡେ
ତମ ସହ ସେଇ ନିତିଦିନିଆ ଦେଖା
ତମ ପାଦ ସହ ପାଦ ମିଶେଇ
ନ ଚାଲି ପାରିବାପଣରେ ତମର ଅଭିଯୋଗ
ତମର ସେଇ ଘଣ୍ଟା ଘଣ୍ଟା
ଅପେକ୍ଷା ର ପାଚେରୀ ଭାଙ୍ଗି
ତମ ସାମନାରେ ଉଭା ହେବା ପରେ
ତମର ଯୋଉ ଅଭିମାନ ର ଜହ୍ନ ଉଏଁ
ତମ ସ୍ୱପ୍ନ ର ଫୁଲ ରେ
ରାତିର କବରୀ ସଜେଇବା
ତମ ହଷ୍ଟେଲ ଫୋନ ନମ୍ବର କୁ
ବାରବାର କଲ୍ କରି ତମକୁ ହ ଇରାଣ କରିବା
କ୍ଲାସ୍ ନ ଥିବା ବେଳେ
ଦୁହେଁ ମିଶି ରଫ୍ ଖାତା ରେ
ଆମ ସ୍ୱପ୍ନ ର ମହଲ ଆଙ୍କିବା
ବର୍ଷା ବରଷୁଥିବା ବେଳେ
ତମ ପାଖେ ଆଇସ୍କ୍ରିମ୍ ପାଇଁ ଜିଦି କରିବା
ଛୋଟ ଛୋଟ କାଗଜ ଡଙ୍ଗା କରି
ତମ ନାଁ ଲେଖି ତମ ସହ ପାଣିର ସୁଅ ରେ
ଭସେଇବାର ପିଲାଳିଆମି
ହାଏ! ସେ ଦିନ ଗୁଡାକ
କେତେ ଆପଣାର ଥିଲା
ସେ ଅନୁଭବ ସବୁ କେତେ ନିଆରା ଥିଲା
ମୋ ହୃଦୟ ଆଉ ତମେ
ଏକ ସମାନ୍ତରାଳ ଗତିରେ ଚାଲିବାକୁ ଲାଗିଥିଲ
ହଠାତ୍ ତମେ ଅଟକିଗଲ
ତା ପରେ ଉଭାନ ହେଇଗଲ ମେଘ ପରି
ହୃଦୟ ବି ଯେମିତି ସେଇଠି ଅଟକି ଯାଇଛି
ନା ଆଗକୁ ଯାଇଛି ନା ପଛକୁ ଫେରିଛି
ବନ୍ଦ ଥିବା ଅଚଳ ଘଣ୍ଟା ପରି ପଡି ରହିଛି
ଖାଲି ଜୀବନ ଯାହା ମାଡି ଚାଲିଛି
ଚଳନ୍ତା ଟ୍ରେନ୍ ପରି
ତମେ ବିଜ୍ଞାନର ଛାତ୍ର ଥିଲ
ହେଲେ ଭୁଲି ଯିବାର କଳାରେ ଯେ
ପାରଙ୍ଗମ ଥିଲ, ଆଜି ବି ବିଶ୍ୱାସ ହୁଏନା
ସେଥିପାଇଁ ବୋଧେ ,ତମେ ଏମିତି ବାରବାର
ମୋ ଅତୀତର ସୀମା ରେଖା ଡେଇଁ
ବର୍ତ୍ତମାନ ର ଅଗଣାରେ
ପାଦଚିହ୍ନ ଆଙ୍କି ଯାଅ
ଦେଖୁନ, ଏଇତ ତମ କଥା ଭାବି ଭାବି
ତମ ପ୍ରିୟ ନୀଳ ରଙ୍ଗର ଶାଢୀଟା
ଗୋଟା ସୁଦ୍ଧା ଭିଜି ସାରିଲାଣି
ତା ସହ ମୋ ଦରକାରୀ ଫାଇଲ ଗୁଡାକ
ଆରେ! ବସ୍ ବି ଅତିକ୍ରମ କରି ଗଲା
ହର୍ନ ମାରି ମାରି
ହେ କୁହତ! ତମେ ଏମିତି ଅବେଳରେ
କାହିଁ ମନେପଡ ଯେ!