STORYMIRROR

ସୁବ୍ରତ ରଥ

Children

4  

ସୁବ୍ରତ ରଥ

Children

ବରଷା ଆସିଛି

ବରଷା ଆସିଛି

1 min
278


ବରଷା ଆସିଛି ବରଷା ଆସିଛି

ଗାଁ ମାଟି ହସୁଛି ଖାଲି

ନିଦାଘର ତାତି ଝାଞ୍ଜି ର ବେଦନା

ସଭିଏଁ ଗଲେଣି ଭୁଲି।


ଶିରାବଣ ଯାଇକି ହେଲାଣି ଅଧା

ଜମିରେ ବୁଲିନି ହଳ

ଆସିଛି ବରଷା ସାଙ୍ଗ ସାଥି ଧରି

ଚାଷୀ ଭାଇ ହେଲା ଚଞ୍ଚଳ।


କୁନା କୁନି ଦୁହେଁ ଝରକା ପାଖରେ

ବସି ଦେଖନ୍ତି ସବୁକୁ

ମନ ହୁଏ ଭିଜିବାକୁ ହେଲେ ଲାଗେ

ଡର ବୋଉର ମାଡ଼କୁ।


ବେଙ୍ଗ ଓ ବେଙ୍ଗୁଲୀ ସାରୁ ଗଛ ତଳେ

ବସିଛନ୍ତି ଛତା ଧରି

ଝଡ଼ି ପୋକ ଦେଖି ଖୁସି ରେ ଡେଇଁ କି

ଖାଉଛନ୍ତି ଧରି ଧରି।


ବିଜୁଳି ମାରୁଛି ରହି ରହି କରି

ଘଡ଼ ଘଡ଼ି କରେ ରଡ଼ି

ମୟୂର ନାଚଇ ପୁଚ୍ଛ ଟେକି ଟେକି

ଦୂରୁ ଶୁଭେ ହମ୍ଭା ରଡ଼ି।


ଦାଣ୍ଡରେ ପାଣିର ସୁଅ ଦେଖି ଦୁହେଁ

ଖାତା ରୁ କାଗଜ ଚିରି

ବନେଇ ଡଙ୍ଗା ଭସାଇ ପାଣିରେ

ନାଚିଲେ ଖୁସିରେ ଭାରି।


ଆଣିବେ ବାପା କେତେ ଚାରା ଗଛ

କୁନା କହିଲା କୁନି କୁ

ବାଡ଼ିରେ ଲାଗିବ ଫୁଲ ଯେ ଫୁଟିବ

ପୂଜା ରେ ଦେବା ପ୍ରଭୁଙ୍କୁ।


ପ୍ରଜାପତି ଭ୍ରମର ଆସିବେ ନିତି

ସୁବାସେ ହୋଇ ମୋହିତ

ବସିବେ ଫୁଲରେ ଶୋଷିବାକୁ ରସ

ଚହକିବ ବାଡ଼ି ସତ।


କୁନା କୁନି ଖୁସିରେ ଗାଇଲେ ଗୀତ

"ଆସିଛି ବରଷା ରାଣୀ

ରିମ୍ ଝିମ୍ ବରଷି ଦେଇଯା ଖୁସି

ଆ' ମୋ ବରଷା ରାଣୀ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children