STORYMIRROR

Rajesh Biswal

Tragedy

4  

Rajesh Biswal

Tragedy

ବୃକ୍ଷର ବିଳାପ

ବୃକ୍ଷର ବିଳାପ

2 mins
284

ଦୁନିଆର ଆଲୋକ ଦେଖିବା ଆଗରୁ ,

ପ୍ରଚେଷ୍ଟା ମୋତେ ବଦ୍ଧ କରିବାର

ସତେଯେମିତି ମୁଁ ଏକ କନ୍ୟା ଭୃଣ ,

ଏ ସମାଜ ପାଇଁ ମୁଁ ଅଦରକାର l


ବୀଜଟିଏ ଥିଲାବେଳୁ , ମଶାଣିର କାଠ ହେବା ଯାଏ,

ପକ୍ଷୀ ମୋତେ ଗିଳିଦେବାର ଅପଚେଷ୍ଟା

ଭୂମିର ଗର୍ଭରୁ ଅଙ୍କୁରୋଦଗମ ବେଳେ,

କେବେ ପିମ୍ପୁଡିମାନଙ୍କର ଖାଦ୍ୟ ହେଇ

ଅବା ଚାରାଟିଏ ହେଲା ପରେ ପରେ

ଗାଈ ମେଣ୍ଢା ଅବା ଛେଳି ମାନଙ୍କର ଖାଦ୍ୟ ହେଇ,

ସଂଘର୍ଷ ମୋର ବଞ୍ଚିବାରେ,

କେବେ ଚାଟଶାଳୀର ଛାଟ ସାଜି 

କେବେ କାଠୁରିଆର ଚୋଟ, 

ସବୁ ସହିଛି ମୁଁ ହସି ହସି

ଯୋଗାଇ ଚାଲିଛି ମୁଁ ଅମ୍ଳଜାନ

ଆକଣ୍ଠ ମୁଁ ଅଙ୍ଗାରକାମ୍ଳର

ବିଷ ନିତି କରୁଥାଏ ପାନ l


ହେ ଆଜିର ସଭ୍ୟ ସମାଜ ,ଶିକ୍ଷିତ ମଣିଷ,

ମୋତେ କାଟି ଗଢିଦେଉ ସେଠି

କେତେ କଳ କାରଖାନା,

ମୋତେ ଭଲପାଉଥିବା ଲୋକମାନେ 

ଅସହ୍ୟ ହେଇ ଯେତେ

ଆକୁଳେ କରୁଥାନ୍ତି ମନା,

କେହି ଶୁଣନ୍ତିନି, କେହି ବୁଝନ୍ତିନି l


କାହାକୁ ବା ମୁଁ ଶୁଣେଇବି ,

କିଏ ହେବ ଦାୟୀ ?

କୁରାଢୀକୁ ? ନା ଦିଆସିଲି କାଠିକୁ ?

ମୋ ଡାଳରୁ ତିଆରି ଯିଏ

ମୋତେ ଜଳାଏ ,

ଚୋଟ ପକାଏ ,

କରିଦିଏ ଧରାଶାୟୀ 

ନା ସେଇ ମଣିଷକୁ ?

ଯିଏ ମୋରି ଫଳ ଖାଇ

ତା'ଠୁ ବଳ ପାଇ

ମୋ ଦେହେ ଚୋଟ

ଉପରେ ଚୋଟ ପକେଇ

ଯେବେ ଥକିଯାଏ,

ମୋରି ଛାଇ ତଳେ

ଟିକେ ଆଶ୍ରୟ ନିଏ

ଶୀତ କାକରରୁ ରକ୍ଷା

ପାଇବା ପାଇଁ

ମୋତେ ଜଳାଏ l

ବଢେଇର କରତରେ

ମୋ ବୁକୁ ଚିରି

ଫାଳ କରି ପକାଏ l

ଖଟ କରି ମୋ ଉପରେ

ଦିନ ସାରା ଥକିଯାଇଥିବା

ଶରୀରକୁ ବିଶ୍ରାମ ଦେଇ

ଶାନ୍ତିର ନିଦ୍ରା ଶୋଇଯାଏl


ଏତିକିରେ ବି ମୋ କାମ ସରେନା ,

ଏ ଦୁନିଆ କିଛି ବୁଝୁ କି ନବୁଝୁ

ଶେଷ ଯାତ୍ରା ପର୍ଯ୍ୟନ୍ତ ମୁଁ ତାକୁ ଛାଡେନା ,

ମୋର ତ ଅପମୃତ୍ୟୁ କେବେଠୁ ହେଲାଣି

ସ୍ୱାର୍ଥପର ମଣିଷର ଯେବେ ଆସେ ମେଲାଣି

ତା ସହ ମୁଁ ବି ଯାଏ ମଶାଣି

ଶୁଆଇ ଦେଇ ତା ଶବକୁ ମୋ କୋଳରେ

ଅଗ୍ନି ସଂଯୋଗ କରି , ମନ୍ତ୍ର ପାଠ କରି

ଜଳେଇ ସାରି ଅସ୍ଥି ପାଉଁଶ କୁ ନେଇ

ମୋକ୍ଷ ପ୍ରାପ୍ତି ପାଇଁ

ଭସେଇ ଦିଅନ୍ତି ମୋତେ ଗଙ୍ଗା ଜଳରେ

ଭସେଇ ଦିଅନ୍ତି ମୋତେ ଗଙ୍ଗା ଜଳରେ l



Rate this content
Log in

Similar oriya poem from Tragedy