ବୋଉ
ବୋଉ
ବୋଉ ଦୁନିଆର ଅମୂଲ୍ୟ ସମ୍ପଦ
ତା ସଙ୍ଗେ ତୁଳନା ନାହିଁ
କୋଟି ସୂର୍ଯ୍ୟ ସମ ଝଲସୁଥାଏ ସେ
ମଥାର ତିଳକ ହୋଇ।
ବୋଉ ଅକ୍ଷରଟି ଥରେ ଲେଖି ଦେଲେ
କାଗଜ ଉପରେ ନେଇ
ଚାରିଧାମ ପରା ବୁଲା ହୋଇଯାଏ
ଏଥିରେ ଦ୍ଵିମତ ନାହିଁ।
କଳନା ଶିଖିନି ଗଣନା ଶିଖିନି
ସରଳ ବୋଉଟି ମୋର
ଅଳପ ମାଗିଲେ କଂସାଏ ପଖାଳ
ବାଢିଦିଏ ନିରନ୍ତର।
ବୋଉ କୋଳ ଏକ ଅଭୟ ମନ୍ଦିର
ଶତୃ ଭୟ ଯହିଁ ନାହିଁ
ଅମୃତ ବୋଳା ତା ଚରଣ ଉଦକ
ସରଗେ ମିଳଇ ନାହିଁ।
ପତଳା କାନିରେ ଢାଙ୍କି ଦିଏ ଯେବେ
ଫୁଙ୍ଗୁଳା ଶରୀର ମୋର
ତପତ ଖରାର ଉତ୍ତାପ ମିଳଇ
ଶୀତ ଯାଏ ବହୁଦୂର।
ବୋଉ ହାତପରା ଅମୋଘ ଔଷଧ
ସବୁ ଦୂରାରୋଗ୍ୟ ପାଇଁ
ଜୀବନ ନଉକା ଆହୁଲା ହରାଏ
ବୋଉ ଯେବେ ପାଶେ ନାହିଁ।