STORYMIRROR

shibananda barik

Inspirational Others

3  

shibananda barik

Inspirational Others

ବୋଉ ତୁ ଅଛୁ ବୋଲି ସିନା

ବୋଉ ତୁ ଅଛୁ ବୋଲି ସିନା

1 min
281


ଦିଅଁ ଦେବତା କି ଦେଉଳ ପୂନିଅଁ ପରବ ଯାତରା ନାନା,

କୋଳରେ କାଖେଇ ଧରି ଦେଖେଇଛୁ ବୋଉ ତୁ ଅଛୁ ବୋଲି ସିନା।


ଇସ୍କୁଲୁ ପିଲାଏ ଠେଲି ପେଲି ମୋତେ କେତେ ହୀନିମାନ କଲେ,

ମୋ ଧନ କୁ କିଏ ଛୁଇଁବନି ବୋଲି ଶୁଣେଇ ଆସିଲୁ ଭଲେ।


ବସି ଉଠିପଡ଼ି ଖେଳି ମାଟି ଗୋଡି ଧୂଳି ଧରେ ମୋର କନା,

ତଥାପି ଦାଗଟେ ଲାଗିନି ଲୁଗାରେ ବୋଉ ରୁ ଅଛୁ ବୋଲି ସିନା।


ପିଠି ଥାପୁଡେଇ ଜହ୍ନକୁ ଦେଖେଇ ନାନାବାୟା ଗାଉଥିଲୁ,

ପୋଖରୀ ତୁଠରେ ଲଙ୍ଗଳାଟେ କରି ହଳଦୀ ଵି ମାଖିଥିଲୁ।


ପାପୁଲି କେବେ ମୋ ଶଙ୍କୁଡ଼ି ଧରିନି ପେଟରେ ଭରିଛି ଦାନା,

"ଏଇ ଥର ଶେଷ" କହି ଖୁଆଇଛୁ ବୋଉ ତୁ ଅଛୁ ବୋଲି ସିନା।


ଏଣେତେଣେ ଫିଙ୍ଗା ଖାତାବହି କେତେ ଯତନେ ଏକାଠି ଥୋଉ,

ସକାଳେ ସଞ୍ଜରେ ଅଧା ଓଢଣି ରେ ମନ୍ଦିର କୁ ନେଇ ଯାଉ।


ହାତ ଧରି ଖଡ଼ି ପଟା ଛୁଆଁଇଛୁ ନୂଆ ମାତ୍ରା ଫଳା ବନା,

ଛାଟରେ ପିଟି ତୁ କୋଳରେ ଧରିଛୁ ବୋଉ ତୁ ଅଛୁ ବୋଲି ସିନା।


ନୂଆ ଜାମା ପିନ୍ଧି ବୁଢ଼ୀ ଯାତରାରେ ଦି' ଟଙ୍କା ଧରେଇ ଦଉ,

ଆକାଶ ସାଉଁଟି ଖୁସି ମିଳୁଥିଲା ସେ ସୁଖ ଅଛିକି ଆଊ?


ଛତୁ ବଡ଼ି ଚୁଡ଼ା ଆଚାର ପାମ୍ପଡ କେବେ ତ କରିନୁ ମନା,

ସନା ବୋଉ ଘରୁ ଉଦ୍ଧାର କରିଛୁ ବୋଉ ତୁ ଅଛୁ ବୋଲି ସିନା।


ବାପା ବଡ଼ଭାଇ ଗାଳି ମନ୍ଦ ଦେଲେ ତୋ ଆଗେ ବିକଳି କାନ୍ଦେ,

ମାଡ ହଜିଯାଏ କୋଳେଇ ନେଲେ ସେ ଭାଇ କୁ ଯେବେ ବି ନିନ୍ଦେ।


ଉଷୁମ ଧରୁଣୁ ସାଇକେଲ ପଛରେ ଧାଇଁଛୁ ଡାକ୍ତରଖାନା,

କେତେ ରାତି ସତେ ଜାଗର ଜାଳିଛୁ ବୋଉ ତୁ ଅଛୁ ବୋଲି ସିନା।


ଭୁଲି କି ପାରିବି ସେ ଦିନ କଥାକୁ କହ ବୋଉ ତୋ ବିନା,

ଦମ୍ଭ ରେ ଜିଇଁଛି ହସି ମୁଁ ପାରୁଛି ବୋଉ ତୁ ଅଛୁ ବୋଲି ସିନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational