ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ


ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ
ଗାଆଁ ସାରା ସଜବାଜ
ମକର ଲୋ ଗାଆଁ ସାରା ସଜବାଜ ।୧!
ଗାଆଁ ମୁଣ୍ଡେ ଆମ୍ବ ତୋଟା
ଦୋଳି ଖେଳୁଅଛି ଲବଙ୍ଗ ଲତା
ଲବଙ୍ଗ ଲତା ଲୋ
କଥା କହେ ଆଖି ପତା
ମକର ଲୋ କଥା କହେ ଆଖି ପତା ।୨!
ମାଇପି ତୁଠରେ ଭିଡ଼
ପାଣି ତଳେ କିଏ ଟାଣଇ ଗୋଡ଼
ଟାଣଇ ଗୋଡ଼ ଲୋ
ପ୍ରେମ ଲେଉଟାଏ କଡ
ମକର ଲୋ ପ୍ରେମ ଲେଉଟାଏ କଡ।୩!
ଚାଳରେ କଖାରୁ ଲଟା
କଅଁଳ ପାଦରେ ସରୁ ଅଳତା
ସରୁ ଅଳତା ଲୋ
ମଥାରେ ଚନ୍ଦନ ଚିତା
ମକର ଲୋ ମଥାରେ ଚନ୍ଦନ ଚିତା।୪!
ଦେଉଳ ରେ ଉଡ଼େ ବାନା
ଘର କାମ ଆଜି ଝିଅ ଙ୍କୁ ମନା
ଝିଅଙ୍କୁ ମନା ଲୋ
ଗାଆଁ ବୁଲା ମଜା ଅନା
ମକର ଲୋ ଗାଆଁ ବୁଲା ମଜା ଅନା।୫!
ଆକାଶ କୁ ଛୁଏଁ ଦୋଳି
ମେଘ ରାଇଜରେ ହସେ ବିଜୁଳି
ହସେ ବିଜୁଳି ଲୋ
ସପନ ଆଣିବା ତୋଳି
ମକର ଲୋ ସପନ ଆଣିବା ତୋଳି।୬!
ଦୋଳି ଉଡ଼େ ରହିରହି
ରଜ ପରି ପରା ପରବ ନହିଁ
ପରବ ନାହିଁ ଲୋ
ହସ ଖୁସି ପିଠା ଖାଇ
ମକର ଲୋ ହସ ଖୁସି ପିଠା ଖାଇ।୭!
ମୁଠା ମୁଠା ଜାମୁକୋଳି
ରାତି ସାରା ମିତ ହୁଏ ବାଉଳି
ହୁଏ ବାଉଳି ଲୋ
ହେବା ପାଇଁ କୋଳା କୋଳି
ମକର ଲୋ ହେବା ପାଇଁ କୋଳା କୋଳି।୮!
ଝଙ୍କା ବରଗଛ ଛାଇ
ବଉଳ ବସିଛି କା ବାଟ ଚାହିଁ
କା ବାଟ ଚାହିଁ ଲୋ
ପଲକ ତା ପଡୁନାହିଁ
ମକର ଲୋ ପଲକ ତା ପଡୁନାହିଁ।୯!
ସୁଆଦିଆ ରଜ ପାନ
ପାନ ଖୋଇଦେଇ ପରଦେଶିଆ
ପରଦେଶିଆ ଲୋ
କିଣି ନେଲା ଗୋରୀ ମନ
ମକର ଲୋ କିଣି ନେଲା ଗୋରୀ ମନ।୧୦!
ଗାଆଁ ରେ
ବାଜଇ ଢୋଲ
କିଏ ହେବ ମୋର ବଉଳ ତୁଲ
ବଉଳ ତୁଲ ଲୋ
ବାଦ କରେ ତାକୁ ଫୁଲ
ମକର ଲୋ ବାଦ କରେ ତାକୁ ଫୁଲ।୧୧!
ଗଛରେ ପାଚିଲା ବେଲ
ଲୁଚି ଲୁଚି ଆସି ପଛରୁ କିଏ
ପଛରୁ କିଏ ଲୋ
ବଉଳ କୁ କରେ ଗେଲ
ମକର ଲୋ ବଉଳ କୁ କରେ ଗେଲ ।୧୨!
ସୁଆଦିଆ ପୋଡ଼ ପିଠା
ପହିଲି ପ୍ରେମର ସୁଆଦ ମିଠା
ସୁଆଦ ମିଠା ଲୋ
ଆଉ ସବୁ ଲାଗେ ପିତା
ମକର ଲୋ ଆଉ ସବୁ ଲାଗେ ପିତା।୧୩!
ସରୁସରୁ ନଈ ବାଲି
ପ୍ରଥମ ପ୍ରେମକୁ ହୁଏନି ଭୁଲି
ହୁଏନି ଭୁଲି ଲୋ
ମନ ହୁଏ କିଲିବିଲି
ମକର ଲୋ ମନ ହୁଏ କିଲିବିଲି।୧୪!
ଦୋଳି ହୁଏ କଟକଟ
ବଉଳ ପିନ୍ଧିଛି ଖଣ୍ଡୁଆ ପାଟ
ଖଣ୍ଡୁଆ ପାଟ ଲୋ
ଚମକୁଛି ବାଟ ଘାଟ
ମକର ଲୋ ଚମକୁଛି ବାଟ ଘାଟ।୧୫!
ଦୋଳି ଯାଏ ଝୁଲି ଝୁଲି
କାହ୍ନୁ ଆସି ଦିଏ ପଛରୁ ଠେଲି
ପଛରୁ ଠେଲି ଲୋ
ରାଧା ମୁହଁ ପଡେ ନାଲି
ମକର ଲୋ ରାଧା ମୁହଁ ପଡେ ନାଲି।୧୬!
କୋହଲା କୋହଲା ପାଗ
ପହିଲି ଅସରା ପହିଲି ମେଘ
ପହିଲି ମେଘ ଲୋ
ପ୍ରେମ ପାଇଁ ଭଲ ଯୋଗ
ମକର ଲୋ ପ୍ରେମ ପାଇଁ ଭଲ ଯୋଗ।୧୭!
ମଝି ରଜ ସଂକ୍ରାନ୍ତି
କାହା କଥା ଭାବି ପଡୁଛୁ ଝୁଣ୍ଟି
ପଡୁଛୁ ଝୁଣ୍ଟି ଲୋ
ସରମରେ ଯାଉ ଲୋଟି
ମକର ଲୋ ସରମରେ ଯାଉ ଲୋଟି।୧୮!
ତାଳ ସଜ ତାଳ ଗଜା
ଆଈ ସାଥେ ପଶା ଖେଳନ୍ତି ଅଜା
ଖେଳନ୍ତି ଅଜା ଲୋ
ରଜ ତିନିଦିନ ମଜା
ମକର ଲୋ ରଜ ତିନିଦିନ ମଜା।୧୯!
ଦୋଳି ଉଡ଼େ ଥିରି ଥିରି
ରଜ ତିନିଦିନ ଯାଏ ତ ସରି
ଯାଏ ତ ସରି ଲୋ
ସବୁ ମନ ହୁଏ ଝୁରି
ମକରଲୋ ସବୁ ମନ ହୁଏ ଝୁରି।୨୦!