STORYMIRROR

Pankajini Upadhaya

Inspirational Others

3  

Pankajini Upadhaya

Inspirational Others

ବନ୍ଧୁ ମୋର ପ୍ରାଣ

ବନ୍ଧୁ ମୋର ପ୍ରାଣ

1 min
949


ହସି ହସି ଯିଏ ସୁସ୍ବାଗତ କରେ

ସୁଖେ ଦୁଃଖେ ହୁଏ ଠିଆ

ଦୁଃଖର ସାଗରେ ଆହୁଲା ମାରେ ଯେ

ତାକୁ ଭୁଲିଯିବି କିଆଁ ?


ହୃଦୟ ମନ୍ଦିର ଅତୀବ ସୁନ୍ଦର

ପରାଣେ ବହଇ ମହୁ

ତୁଳନା ନାହିଁ ତ କଳନା ବି ନାହିଁ

ସର୍ବଦା ସୁଖି ସେ ରହୁ।


ବିଷମ ବେଳର ପ୍ରିୟ ସହୋଦର

ବିପର୍ଯ୍ୟୟ ବେଳ ସଖା

ଅବେଳା ବେଳାର ବିନା ଆମନ୍ତ୍ରଣେ

ମମତାର ମଧୁମଖା।


ଯେତେ ସବୁ ହୀରା ଲୀଳାର ପସରା

ନୁହଁଇ ତାହାର ତୁଲ

ନଭର ଶଶାଙ୍କ ପରି ଜ୍ବଳବନ୍ତ

ରୂପ ତା 'ଅମୂଲ ମୂଲ।


ହସିଦେଲେ ଥରେ ମଧୁମୋତି ଝରେ

କଥା ତା 'କାହାଣୀ ଭରା

ହୃଦୟ ଭିତର ଶିହରିତ ହୁଏ

ମମତା ମହକ ପରା।


ତାର ସାଥେ ମୋର କଟିଛି ଶୈଶବ

ବାଳୁତ ବେଳ ଅଝଟ

ଯୌବନ ମତ୍ତରେ ଫରକ ପଡିନି

ମିଳିଛି ପୁରା ସପୋଟ।


ଫଗୁଣର ବାସ ଚହଟି ପଡୁଛି

ଫୁଲରେ ଭରିଛି ସ୍ବପ୍ନ

ଆମ୍ବ ବଉଳରୁ ଚଣା ପଡିଲାଣି

ଶୁଭୁଛି କୋଇଲି ତାନ।


ଋତୁ ଆସିଯିବେ ପୁଣି ଚାଲିଯିବେ

ଆମ ସମ୍ପର୍କର ମାନ

ହଜିବନି କେବେ ବନ୍ୟା ଓ ବଢିରେ

ରହିବ ନିଶ୍ଚେ ଅମ୍ଳାନ।


ବିରହ ବୈଶାଖ ହସର ଶ୍ରାବଣ

ଦେବ ନାହିଁ ଅପବାଦ

ସମୟରେ ସାଥେ ଭିଜି ଚାଲିଥିବୁ

ଲାଗିବନି ଅବସାଦ।


କଳ୍ପନା ଜଳ୍ପନା ସ୍ବପ୍ନର ତରଙ୍ଗ

ସବୁ ଏଠି ମାଳମାଳ

ବନ୍ଧୁ ମୋର କେବେ ଅବନ୍ଧୁ ନୋହିବେ

ହଜିବା ଭିଜିବା ବେଳ।


ସଂସାରର ସୁଖ ଅବା ଯେତେ ଦୁଃଖ

ସବୁ କରୁ ଉପଭୋଗ

ଆସେନା ବିଷାଦ ଅବା ଅବସାଦ

ଆସେନା କେବେ ପ୍ରମାଦ।


କାଳିଆର ଇଚ୍ଛା ପୁରୁ ମନୋବାଞ୍ଛା

ରହୁ ବନ୍ଧୁତ୍ବ ଅମର

ହେବୁ ନାହୁଁ ଦୂର ପ୍ରତିଜ୍ଞା ଆମର

ରହିଥିବୁ ଆପଣାର।


କରୁଛୁ ବିନତି ଦିଅ ସଦବୁଦ୍ଧି

ଗାଉ ବନ୍ଧୁତ୍ବର ଜୟ

ଜୀବନର ପାତ୍ର ଭରି ଭରି ଚାଲୁ

ନ ଆସୁ କୌଣସି ଭୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational