STORYMIRROR

Sambit Srikumar

Inspirational

4  

Sambit Srikumar

Inspirational

ବିସର ମହାନ୍ତି

ବିସର ମହାନ୍ତି

1 min
418


ଏଇ ଓଡ଼ିଆ ଜାତି ଆଜି ଯାଇଛି ହେଳାରେ ବିସ୍ମରି

ତ୍ୟାଗ ତିତୀକ୍ଷା ଅବଦାନ ସାହାସିକ କୀର୍ତ୍ତି ତୁମ୍ଭରି

ଗବେଷକ ଯେତେ ଏ ଜାତିର ନାହିଁ ତ ସମୟ କାହାରି

ଲେଖିବାକୁ ତୁମ୍ଭର କଥା ନିଜ ପୋଥିପତ୍ରରେ ବିସ୍ତାରି

ଅନ୍ତରଟା ମୋର ତୁମ୍ଭ ଲାଗି କାନ୍ଦୁଛି ଗୁମୁରି ଗୁମୁରି

ଲେଖୁଛି ଦି' ପଦ ଏଇ ଅଧମ ଶ୍ରୀରଙ୍ଗାଚରଣ ସୁମରି ll


ଉତ୍କଳର ସ୍ୱାଧୀନ ସୂରୁଜ ଡୁବିଥିଲା ହୋଇ ହତଶିରୀ 

କୁଚକ୍ରୀ ବିଧର୍ମୀ କଳାପାହାଡ଼ ସାଜିଥିଲା ଜାତିର ବଇରି

ତ୍ୟାଗ କରି ଆପଣାର ଆଳୟ ପୂଣ୍ୟ ନୀଳାଚଳ ପୁରୀ 

ଚିଲିକା ଦ୍ୱୀପରେ ପାତାଳୀ ହୋଇଥିଲେ ମହାପ୍ରଭୁ ଶ୍ରୀହରି

ଗୋପନ ରୀତିରେ ପୂଜା ପାଉଥିଲେ ସେଠି ନୀଳାଦ୍ରି ବିହାରୀ 

ଅତି ସନ୍ତର୍ପଣେ ଚଳୁ ଥିଲେ ଯେତେ ଭକ୍ତ ପଣ୍ଡା ପଢ଼ିଆରୀ ll


ଦୁର୍ଦ୍ଦିନର କଳାବାଦଲ ଦିନେ ଆସିଲା ଯେ' ଘୋଟି

ଛଳ ବଳ କଉଶଳେ ପାମର କଳାପାହାଡ଼ ନେଲା ଲୁଟି 

ଓଡ଼ିଆ ଜାତିର ଅସ୍ତିତ୍ୱ ଅସ୍ମିତା ଆରାଧ୍ୟ ଚତୁର୍ଦ୍ଧାମୂରତୀ

ଚିଲିକାରୁ ନେଇ ଲୁଚାଇ ରଖିଲା ବଙ୍ଗ ଦେଶେ ମୂଢମତି

ମହାପ୍ରଭୁଙ୍କର ନିର୍ଦ୍ଦେଶ ଅବା ଅଲଂଘ୍ୟ ନିୟତିର ଗତି 

ପଶ୍ଚାତ୍ ଧାବନ କରୁଥିଲେ ସାଧୁ ମହାତ୍ମା ବିସର ମହାନ୍ତି ll


ପାବନ ଗଙ୍ଗାର କୂଳରେ ବିଦ୍ୱେଷୀ କଳାପାହାଡ଼ 

ଭୁଲି ଆପଣାର ହିତାହିତ ଜ୍ଞାନ କପଟୀ ପାପିଷ୍ଠ

ଦାରୁ ବିଗ୍ରହରେ କରାଇଲା ଅଗ୍ନିର ସଂଯୋଗ 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାଖେଳା ତ ବିଚିତ୍ର 

ବାହୁଡ଼ି ଗଲେ ଯିଏ ଯାହାର ବାଟରେ ସଇନ ସାମନ୍ତ 

ଦୁଷ୍ଟାତ୍ମା କଳାପାହାଡ଼ର ଦେହ ହେଲା ଖଣ୍ଡ ବିଖଣ୍ଡିତ ll


ସ୍ୱଚକ୍ଷୁରେ ପ୍ରତ୍ୟକ୍ଷି ଏହି ଦୃଶ୍ୟ ହୃଦୟ ବିଦାରକ 

ନହେଇଣ ବିସର ମହାନ୍ତି ତିଳେ ଧୈର୍ଯ୍ୟ ଚ୍ୟୁତ 

ଅର୍ଦ୍ଧ ଦଗ୍ଧ ଦାରୁ ବିଗ୍ରହଙ୍କୁ ଯତନେ ଉଦ୍ଧାର କରିଣ 

ଗଙ୍ଗାର ଜଳରେ କରିଲେ ଦାରୁ ବିଗ୍ରହଙ୍କ ସ୍ନାହାନ 

ସାଧୁର ବେଶରେ ଭଜି ଭଜି ହରି ନାମ ସଂକୀର୍ତ୍ତନ 

ବ୍ରହ୍ମ ବହି ମୃଦଙ୍ଗରେ ବଙ୍ଗ ଦେଶୁ ହେଲେ ଅନ୍ତର୍ଦ୍ଧାନ ll


ଭ୍ରମି ଭ୍ରମି ଆସି ପହଞ୍ଚିଲେ ଉପକୂଳ କୁଜଙ୍ଗ ଗଡ଼ରେ 

ନୂତନ ଦାରୁ ବିଗ୍ରହ ଗଢି ସେବିଲେ ମହା ଆନନ୍ଦରେ 

ଗଜପତି ରାମଚନ୍ଦ୍ର ଦେବ କରାଇଲେ ନବକଳେବର 

ମହାପ୍ରଭୁ ବାହୁଡ଼ି ଆସିଲେ ଆପଣାର ଆଳୟ ଶ୍ରୀମନ୍ଦିର 

ଓଡ଼ିଆ ଜାତିର ଅସ୍ତିତ୍ୱ ଅସ୍ମିତାର କରିଲେ ପୁନରୁଦ୍ଧାର 

ଧନ୍ୟ ଧନ୍ୟ ତୁମ୍ଭ ଅବଦାନ ଧନ୍ୟ ତୁମ୍ଭେ ପୂଣ୍ୟାତ୍ମା ବିସର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational