ବିଦଗ୍ଧ ଜୀବନେ
ବିଦଗ୍ଧ ଜୀବନେ
ପ୍ରିୟର ଆସିବା ଖବର ଶ୍ରବଣେ
ଜାଗିଛି ପୀରତି ପ୍ରେୟସୀର ମନେ
ଫୁଟିଛି କୁସୁମ ହୃଦ ଉପବନେ
ଥରୁଅଛି ଛାତି ମୃଦୁ ଶିହରଣେ ।
ସଜାଇ ହୋଇଛି ନାନା ଆଭୂଷଣେ
ବେନି ହସ୍ତ ଶୋହେ ସୁବର୍ଣ୍ଣ କଙ୍କଣେ
କେଶର ଗଭାକୁ ବାନ୍ଧିଛି ଯତନେ
ନାଇଛି କୁଣ୍ଡଳ ପ୍ରିୟା ଦୁଇ କର୍ଣ୍ଣେ ।
ଆଖି ଝଲସୁଛି ମଧୁର ସପନେ
ଭ୍ରମୁଛି ତରୁଣୀ ଏକା ଯଉବନେ
ଜଳୁଛି ପରାଣ ବିରହ ଦହନେ
ଖୋଜୁଥିଲା ସାଥି ପରଶ ଫଗୁଣେ ।
ନିସ୍ତବ୍ଧ ରାତ୍ରିରେ ଚନ୍ଦ୍ରମା କିରଣେ
ଲେଖିଥିଲା ଚିଠି ମାନସୀ ଗୋପନେ
ବିଳମ୍ବ ନକରି ଫେରିବ ତକ୍ଷଣେ
ଭରିଦେଵ ତୃପ୍ତି ତୃଷିତ ପରାଣେ ।
ଆସିବେ ନାଗର ଆଜି ଶୁଭଦିନେ
ସ୍ମିତହାସ୍ୟ ଖେଳେ ସୁନ୍ଦରୀ ବଦନେ
କଣେଇ ଚାହୁଁଚି ମିଠା ଅଭିମାନେ
ତୋଳିନେବେ କୋଳେ କିବା ଆଲିଙ୍ଗନେ ।
କରିନେବେ ବଶ ମଧୁର ଚୁମ୍ବନେ
ତେଜିବି ସକଳ ଲଜ୍ଜ୍ୟା କି ନିର୍ଜନେ
ରଚିବେ କି ଗୀତି ପୀରତି ମିଳନେ
ନାଶି ଅବଶୋଷ ବିଦଗ୍ଧ ଜୀବନେ ।
