ବିଦାୟୀ ବର୍ଷ ୨୦୧୫
ବିଦାୟୀ ବର୍ଷ ୨୦୧୫
ତୁମେ ଚାଲିଯିବ ଯେ ଚାଲିଯିବ
ଆଉ କେବେ ଫେରିବନି ପଛକୁ
କୁଢ କୁଢ ଶବମାନଙ୍କୁ ଡେଇଁ
ରକ୍ତର ଛିଟା ଲଗାଇ
ଆକାଶରେ ଧୂଆଁର ଓଢଣୀ ଦେଇ ।
ମାଟିକୁ ଦୁଇଫାଳ କରି
ଥରାଇ ସାରିଛ କେତେଥର ମୋ ହୃଦକମ୍ପନ
କାଗଜ ଡଙ୍ଗାଟିଏ ଭସାଇପାରିନି ଏଥର
ଶ୍ରାବଣଟା ତୁମର ଭାରି ଅଭିମାନିନୀ
ଶୀତଟା କେଉଁଆଡେ ଯାଇଥିଲା କେଜାଣି
କାଶତଣ୍ଡୀ ମନ ମାରି ବସିଥିଲା
ଶରତରେ ମୁଁହକୁ ଫୁଲାଇ ।
ରାଜରାସ୍ତାରେ ଡଙ୍ଗା ଚାଲିଲା
ତୁମ ପାଇଁ ଅଦିନରେ
ଗର୍ବ ଦମ୍ଭର ଶୁଖିଲା ପଣ
ଭସାଇ ଦେଇଥିଲ ସବୁ ସୁଅରେ ।
ତୁମ ମୁଁହକୁ ଆଉଁସୁଥିବି
ମନ ଭରି ସ୍ମୃତିର କ୍ୟାଲେଣ୍ଡରରେ
ଆଉ ତୁମେ ଆସିବନି ଜାଣିବି
ଦେଉଥାଏ ହାତେ ଶେଷେ ପ୍ରେମର କଢି
ଅନ୍ଧ ଭଳି ଦରାଣ୍ଡୁଥାଏ ମୁଁ
ବେଳେବେଳେ ଏକା ଏକା ବସି
ତୁମ କଫିନକୁ ତାଡି ।