ବିଦାୟ
ବିଦାୟ
ଏ ଧରା ପୃଷ୍ଠରେ ପାଦ ଥାପେ ଯିଏ
ସ୍ବାଗତ ହୁଏ ବିଧିରେ
ନବ ଜାତ ହେଉ ଅବା ନୂଆ ବର୍ଷ
ବିଶ୍ୱାସ ଭରସା ଧାରେ
ନାମ,ଯଶ ଅବା ପଦବୀ ,କ୍ଷମତା
ସ୍ବାଗତ ଯୋଗ୍ୟ ବିଧାନ
ବିଦାୟର ସମ୍ବର୍ଦ୍ଧନା ସର୍ବୋପରି
ସମାଜରେ ପୁଣି ମାନ୍ୟ
ବିଦାୟ କାଳୀନ ସଭା ହେଉ ଅବା
ବିଦାୟ କାଳୀନ ଦୃଶ୍ୟ
ହୃଦ ବିଦାରକ ଧାରେ ଆଖି ଲୁହ
ଆପେ ଝରଇ ଅବଶ୍ୟ
ଘର ଠୁ ଦୂରେଇ ରହିବା ପ୍ରସଙ୍ଗେ
ବିଦାୟ ଦେବା ବେଳରେ
ଜନ୍ମଦାତ୍ରୀ ଜନନୀର ଆଖି ଲୁହ
ସ୍ପଷ୍ଟ ତା' ଆଖି କୋଣରେ
ବାପାଙ୍କର ପରୀ ବିଦାୟ ବେଳରେ
ଲୁଚାଇ ପାରେନି ଲୁହ
ଦୁହିତା ର ଧର୍ମ କହେ ବାପା କିନ୍ତୁ
ହୃଦୟରେ ଭରା କୋହ
ବ୍ୟଥିତ ହୃଦୟେ ପ୍ରେମିକାର ମୁଖେ
ବିଦାୟ ବେଳର ଭାଷା
ପ୍ରକୃତ ପ୍ରେମର ଆବେଗ ପ୍ରାୟତଃ
ବିଦାୟର ପରିଭାଷା
ବିଦାୟର ପରିଭାଷା ଅବା ସଂଜ୍ଞା
କହେ ଦରଦୀ ହୃଦୟ
ନିଜ ପ୍ରିୟ ଜନ ଅକାଳ ବିୟୋଗେ
ସହଜରେ ଅନୁମେୟ
ସମୟ ସାରଣୀ ପରିଧି ଭିତରେ
ଅବା କର୍ମ ସମାପନେ
ହେ ବନ୍ଧୁ ବିଦାୟ ବକ୍ତବ୍ୟ ମୁହୂର୍ତ୍ତେ
ସ୍ମୃତି ନାଚେ ପର କ୍ଷଣେ
କ୍ରମାଗତ ଭାବେ ସମ
୍ପର୍କ ସ୍ଥାପନ
ପର ମୁହୂର୍ତ୍ତେ ବିଦାୟ
ବିଦାୟ ସୂଚକ ଇଶାରା ପ୍ରାପ୍ତିରେ
ମନ ପ୍ରାଣ ବି ଅଥୟ
ପ୍ରାଣ ସ୍ପର୍ଶୀ ବନ୍ଧୁ ଅବା ପ୍ରିୟ ଜନ
ଧରାରୁ ବିଦାୟ ବେଳେ
ହୃଦୟର କୋହ ହୁଏ ନାହିଁ ଚାପି
ଭାସି ଉଠେ ଅଶ୍ରୁ ଜଳେ
ବୀର ପ୍ରସବିନୀ ଜନନୀ ମୁଖରେ
ବିଦାୟ ବେଳର ବାଣୀ
ବିଦାୟର ସଂଜ୍ଞା ଅବା ପରିଭାଷା
ଭିନ୍ନ ରୂପ ନିଏ ପୁଣି
ବିଦାୟର ସଂଜ୍ଞା ଅବା ପରିଭାଷା
କିମ୍ପା ବର୍ଷ ନାମେ ନ୍ୟାତା
ସମୟର ତାଳେ ସଭିଏଁ ବିଦାୟ
ଚିରାଚରିତ ଏ ପ୍ରଥା
ସ୍ଵାଗତ ବେଳରେ ହସର ପସରା
ଜନ୍ମ ଅବା ଯଶ ଧାରେ
ଶୋକାକୁଳ ହୁଏ ଆପେ ପରିବେଶ
ପ୍ରାୟ ବିଦାୟ ବେଳରେ
ବିଦାୟ ପରର ବ୍ୟଥା ଓ ଯନ୍ତ୍ରଣା
ଜାଣିଛି ଯଶୋଦା ମାତା
କୈକେୟୀ ବି ମାତା ଆସନରେ ବସି
ଲଭିଛି ବିଦାୟ ବ୍ୟଥା
ଆସୁରିକ ଶକ୍ତି ଏ ଧରା ପୃଷ୍ଠରେ
ପୁଣି ନିଜ ହୃଦୟରେ
କ୍ରମଶଃ ବିଦାୟ ଦେବାର ପ୍ରଚେଷ୍ଟା
ଜାରି ରହୁ ସର୍ବାଗ୍ରରେ
ବିଦାୟ ଅପେକ୍ଷା ସ୍ବାଗତ ନାମରେ
ଶୁଭିଲାଣି ପଦ-ଧ୍ଵନୀ
କବିତା ଆସର ଅବା ସମାରୋହେ
ଅଯଥା ପ୍ରାୟ ଭାଳେଣି