ବିବେକର ଭାଷା
ବିବେକର ଭାଷା
ବିବେକ ନାମକ ଈଶ୍ୱର ଚେତନା
ମଧୁର ସେ ଅନୁଭୂତି,
ତାହାରି ନିର୍ଦ୍ଦେଶ ପାଳନ କରିଲେ
ମନେ ଭରିଦେବ ତୃପ୍ତି ।
ଅନ୍ତର୍ମୁଖୀ କରେ ଚେତନା ପୁଞ୍ଜି କୁ
ଦିବ୍ୟତା ର ପରିଚୟ,
ସଂକ୍ଷିପ୍ତ ଜୀବନେ ଶ୍ରେୟ ପାଇବାକୁ
ତାହାକୁ କର ପାଥେୟ।
ଅବୋଲକରା ସେ ମନଟାକୁ ତୁମ
ବିବେକ ରଜ୍ଜୁ ରେ ବାନ୍ଧ,
ମନ ଚଇତନ ମୁକୁଳା ବୁଲିଲେ
ଆଣିଦେବ କେତେ ଦ୍ୱନ୍ଦ।
ମନ ଓ ବିବେକ ଦୁଇପଥ ପାଇଁ
ତୁମେ ତ ଅଟ ସ୍ଵାଧୀନ,
ବିବେକକୁ ବଳିଦେଇ ଯଦି ହେବ
ଭ୍ରମେ ମନର ଅଧୀନ।
ମହତ୍ତର ସେହି ଦିବ୍ୟ ଅନୁଭୂତି
ଯଦି ମନଟା ନ ଚିହ୍ନେ,
ସାର୍ଥକ ଜୀବନ ସ୍ୱାଦ ଅମୃତକୁ
ହେବ ଅନୁଭବ କେହ୍ନେ?
ସମ୍ପଦେ ସମ୍ପର୍ଣ୍ଣ ଆବଶ୍ୟକତା କୁ
ମନଟା ତ ଚାହୁଁ ଥାଏ,
ବିବେକ ସମ୍ପର୍ଣ୍ଣ ଆବଶ୍ୟକତା କୁ
ମନ ତ ଖୋଜି ନ ଥାଏ ।
ଯେତେ ପ୍ରତିପତ୍ତି ଧନ ଓ ସମ୍ପତ୍ତି
ଥାଉ ଯେତେ ମହାନତା,
ବୟସର କଷାଘାତ ଆଣିଦେବ
ଶରୀରେ ଅବସନ୍ନତା।
ନିୟନ୍ତ୍ରଣେ ତୁମ ରହିନପାରିବ
କ୍ଷୟିଷ୍ଣୁ ଜୀବନଧାରା,
ମହାକାଳ ନିୟନ୍ତ୍ରଣାଧୀନ ହେବ
ଏହା ତ ବାସ୍ତବ ଧାରା।
