ଭୁଲିଯିବୁ ବାପାଘର
ଭୁଲିଯିବୁ ବାପାଘର
ଲାଗିଲା ସିନ୍ଦୁର ଝିଅ ତୋ ମଥାରେ
ଆମେ ହୋଇଗଲୁ ପର
ଶୋକ ସାଗରରେ ଭସେଇ ଆମକୁ
ଚାଲିଯିବୁ ଶାଶୁଘର |
ମାଆ ତୋର ଝିଅ କାନ୍ଦୁଛି କେତେ ଲୋ
କେତେ ଯେ' ଝରେଇ ଲୁହ
ମାଆ ମମତାକୁ ଦୂରେଇ ତୁହି ଲୋ
ଚାଲିଯିବୁ ଶାଶୁଘର |
ବଡ଼ଭାଇ ତୋର ଭାଳି ହେଉଅଛି
ଭାବି ତୋ' ସ୍ନେହ ଆଦର
ସେ ଭାଇ ବନ୍ଧନ ଭାଙ୍ଗିଗଲା ଆଜି
ଚାଲିଯିବୁ ଶାଶୁଘର |
ସାନ ଭଉଣୀ ତୋ' କେତେ ଯେ' ଝୁରୁଛି
ଛାଡିଦେଲୁ ହାତ ତା'ର
କା' ପ୍ରେମ ପ୍ରୀତିରେ ଆଉ ସେ ହସିବ
ଚାଲିଯିବୁ ଶାଶୁଘର |
ସାନଭାଇ ତୋ'ର କୋଣେ କୋଣେ ବସି
ପିଉଅଛି କେତେ ଲୁହ
ତୋ ବିନା ଝିଅ ଲୋ ଝଡ଼ିଯିବ ସିଏ
ଚାଲିଯିବୁ ଶାଶୁଘର |
ସଭିଏଁ କହନ୍ତି ସଂସାର ସାଗରେ
ବାପାର ଛାତି ପଥର
ସେ' ପଥର ଆଜି ତରଳି ଗଲାଣି
ଚାଲିଯିବୁ ଶାଶୁଘର
ଚାଲିଯିବୁ ଶାଶୁଘର ||
