STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା-୮

ବହ୍ନିକନ୍ୟା-୮

2 mins
95

ମଗଧରୁ ବିବାହ ପ୍ରସ୍ତାବ

===

ଦ୍ରୌପଦୀ, ରାଜା ଦ୍ରୁପଦଙ୍କର ଆହତ ଆତ୍ମ-ସମ୍ମାନର ପ୍ରତୀକ ଥିଲେ। ଦ୍ରୁପଦଙ୍କର ଅବଦମିତ ଅହଂକାରର ଅପ୍ରକାଶିତ ରୂପ ଥିଲେ ପାଞ୍ଚାଳ ରାଜକନ୍ୟା।ଯାଜ୍ଞସେନଙ୍କ କ୍ରୋଧାଗ୍ନିରୁ ତାଙ୍କର ଜନ୍ମ। ପିତାଙ୍କ ଅପମାନ ପାଇଁ ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ତାଙ୍କ ଜୀବନର ପ୍ରମୁଖ ଲକ୍ଷ ଥିଲା।କିନ୍ତୁ ସେହି ଲକ୍ଷ ସାଧନ ପାଇଁ ସେ ଅଧର୍ମ ପଥଗାମୀ ଶକ୍ତି ସହିତ ହାତ ମିଳାଇବାକୁ ଚାହୁଁ ନଥିଲେ।ସେହିଭଳି ଏକ ଅଧର୍ମ ପଥଗାମୀ ସମ୍ରାଟ ଥିଲେ ମଗଧେଶ ଜରାସନ୍ଧ।ଜରାସନ୍ଧ ନିଜର ପୌତ୍ର ମେଘସନ୍ଧି ସହିତ ଦ୍ରୌପଦୀଙ୍କ ବିବାହ କରାଇବାକୁ ଚାହୁଁଥିଲେ।ମଗଧେଶ ଯେତେବେଳେ ପାଞ୍ଚାଳ ରାଜାଙ୍କ ପାଖକୁ ପ୍ରସ୍ତାବ ପଠାଇଲେ,ସେ ସମ୍ବାଦ ରାଜକନ୍ୟାଙ୍କୁ ଚିନ୍ତିତ କରିଦେଲା।

======

 

ରାଜ ପ୍ରାସାଦରେ ଚିନ୍ତିତ ମନରେ 

କୃଷ୍ଣା ଦିନେ ବସିଥିଲେ,

ସେ ସମୟେ ଆସି ସଖୀଏ ବୋଇଲା

"ଶୁଭ ସଂଧ୍ୟା ଗୋ ସୁଶୀଳେ !

ଘରଚିନ୍ତା ଛାଡି ବର ଚିନ୍ତା ଏବେ 

କର ରାଜୀବ ନୟନୀ,

ମଗଧରୁ ଦୂତ ଆସିଅଛି ତୁମ୍ଭ 

ବିବାହ ପ୍ରସ୍ତାବ ଘେନି।

ଚକ୍ରବର୍ତ୍ତୀ ଜରାସନ୍ଧ ପେଶିଛନ୍ତି 

ଅମୂଲ୍ୟ ଉପଢୌକନ,

ପୌତ୍ର ମେଘସନ୍ଧି ସଙ୍ଗେ ପରିଣୟ 

କରାଇବା ପାଇଁ ମନ।


ତୋ ଶୋଭା ସଜନୀ,ସାରା ଆର୍ଯ୍ୟାବର୍ତ୍ତେ 

ପକାଇଲାଣି ଚହଳ,

କେତେ ରାଜପୁତ୍ର ଦେଖି ତୋର ଚିତ୍ର 

ହେଲେଣି ସଖୀ ପାଗଳ।

ତୁ ତ ପଦ୍ମକଳି,ତୋ ସୁବାସେ ଭଳି,

ଅଳି ଚୁମ୍ବନ୍ତି ମୁଖକୁ,

କେଉଁ ରାଜପୁର ମଣ୍ଡନ କରିବୁ 

ସତେ ତୁ ଛାଡି ଆମ୍ଭକୁ?

କେଉଁ ରାଜପୁତ୍ର ଅମର ହୋଇବ 

ତୋ ଓଷ୍ଠ ଅମୃତ ପିଇ,?

କେହି ଯେବେ ତୋର ଅଛି ମନଚୋର 

ବେଳହୁଁ ଦିଅ ବତାଇ।"


କୃତ୍ରିମ କ୍ରୋଧରେ "ଯାଉଛୁ ନା"ବୋଲି 

ସଖୀକି କହନ୍ତେ ଛଳି,

ସଖୀ ଚାଲିଗଲା, ବିଷମ ଚିନ୍ତାରେ 

ପଡିଲେ ରାଜ ଦୁଲ୍ଲାଳୀ।

ସଖୀମୁଖୁ ବାଣୀ ଶୁଣି ଯାଜ୍ଞସେନୀ 

ବିଚାର କଲେ ମନରେ,

"ରାଜକନ୍ୟା ଭାଗ୍ୟ ପଶାଗୋଟି ଛଡା 

ଅନ୍ୟ କିବା ହୋଇପାରେ !

ନିଜ ଇଚ୍ଛା ବଳି ଦିଏ ରାଜବାଳୀ 

ସାମ୍ରାଜ୍ୟ ସୁରକ୍ଷା ପାଇଁ,

ମର୍କଟ ଗଳାରେ ଦିଏ ପୁଷ୍ପହାର 

ରାଜନୀତି ଦ୍ବାହି ଦେଇ।


ମଗଧ ସମ୍ରାଟ ଜରାସନ୍ଧ ଚାହେଁ 

ବନ୍ଧୁତା ପାଞ୍ଚାଳ ସହ,

ବାସୁଦେବ ହସ୍ତେ ଲଭିଅଛି ଯେଣୁ 

ବାରମ୍ବାର ପରାଜୟ।

ମଗଧ ରାଜନ ଘୃଣ୍ୟ ନରାଧମ

ପାଞ୍ଚାଳର ଶକ୍ତି ବଳେ,

ଧର୍ମଧ୍ବଜାଧାରୀ ଯାଦବେ ନାଶିବ

କଳେ,ବଳେ,କଉଶଳେ।

ପାଞ୍ଚାଳ,ବିଦର୍ଭ,ଚେଦି ସଙ୍ଗେ କରି 

ବନ୍ଧୁତାର ସଂଗଠନ,

ଧର୍ମପଥ ଗାମୀ ଯାଦବ କୁଳକୁ 

କରିବ ସେ ଶକ୍ତିହୀନ।

ଆର୍ଯ୍ୟାବର୍ତ୍ତେ ଧର୍ମ ହେବ ଅବକ୍ଷୟ

ଜରା ସଫଳ ହୋଇଲେ,

ଧର୍ମଧ୍ବଜାଧାରୀ ଦ୍ରୁପଦ ଲଭିବେ

ଅପଯଶ ମହିତଳେ।


ଗୁରୁକୁଳ ନଷ୍ଟ କରି ଜରାସନ୍ଧ 

ସାଧୁଙ୍କୁ ଦିଏ କଷଣ,

ନାରୀ ନିର୍ଯାତନା,ପରଜା ତାଡନା 

ତା ରାଜ୍ୟରେ ସାଧାରଣ।

କୁଳଧର୍ମ,କୁଳଗତ ପରମ୍ପରା ,

ପ୍ରଜାଶାନ୍ତି ହେବ ଦୂର,

ସବୁ ଜାଣିଶୁଣି କେହ୍ନେ ଯାଜ୍ଞସେନୀ 

ହେବେ ତାର ଭାଗିଦାର?


ପୁଣି ବିଚାରନ୍ତି ଜରାସନ୍ଧ ଶକ୍ତି 

ଆର୍ଯ୍ୟାବର୍ତ୍ତରେ ପ୍ରବଳ,

ଶତ ରାଜା ବନ୍ଦୀ କରିଛି ସଭିଙ୍କ

ରାଜ୍ୟକୁ କରି କବଳ।

ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି 

ହେବକି ସତେ ସମ୍ଭାଳି?

ଦୁଷ୍ଟ-ଶକ୍ତି ହୋଇ ଏକତ୍ରିତ ହେଳେ 

ପାଞ୍ଚାଳକୁ ଦେବେ ଦଳି।

ସହଜେ ପାଞ୍ଚାଳ ସଙ୍ଗେ ହସ୍ତିନାର 

ଲାଗିଛି ସୀମା କଳହ,

ଜରାସନ୍ଧ ହେଲେ ରୁଷ୍ଟ, ପରିସ୍ଥିତି

ହୋଇଯିବ ବିଷମୟ।

ଏ ପାର୍ଶ୍ବେ କୁମ୍ଭୀର ସେ ପାର୍ଶ୍ବେ ସାଗର 

ମଧ୍ୟରେ ଅନ୍ଧାର ଖାଇ,

କେଉଁ ପଥ ବାଛି କାହାକୁ ତେଜିବେ

ଜାଣି ନପାରନ୍ତି ସେହି।


କ୍ରମଶଃ.........


Rate this content
Log in

Similar oriya poem from Classics